ତେବେ ପାକିସ୍ତାନ ଯେଉଁ ଆତଙ୍କବାଦକୁ ପାଳି ପୋଷି ସମସ୍ତ ପ୍ରକାର ପ୍ରୋତ୍ସାହନ ଦେଇଥିଲା ସେହି ଆତଙ୍କବାଦ ଏବେ ପାକିସ୍ତାନକୁ ଥରହର କରୁଛି । ସ୍ଥିତି ଏପରି ହେଲାଣି ଯେ ଏହି ଇସଲାମୀ ଦେଶରେ ଥିବା ମସଜିଦ ମଧ୍ୟ ସୁରକ୍ଷିତ ହୋଇ ନାହିଁ । ପେଶାବର ଠାରେ ସବୁଠାରୁ ସୁରକ୍ଷିତ ପୋଲିସ କ୍ୟାମ୍ପ ମଧ୍ୟରେ ଥିବା ମସଜିଦରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଛି । ପେଶାବର ଠାରେ ଏହି ଆକ୍ରମଣରେ ପାକିସ୍ତାନୀ ପୋଲିସର ପାଖାପାଖି ଶହେ ଜଣଙ୍କର ମୃତ୍ୟୁ ହେବା ପରେ ପାକିସ୍ତାନ ଏବେ ପୁଣି ଥରେ ତାଲିବାନ ସମ୍ମୁଖରେ ଗୁହାରୀ କରିବାକୁ ନିଷ୍ପତି ନେଇଛି ।ପାକିସ୍ତାନ ଏବେ ତାଲିବାନର ସୁପ୍ରିମ ଲିଡରକୁ ଏ ବାବଦରେ ନିବେଦନ କରିବାକୁ ସ୍ଥିର କରିଛି ।
ପାକ୍ ଇନଷ୍ଟିଚ୍ୟୁଟ ଫର ପିସ ଷ୍ଟଡିଜ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନର ଶାସନ ଆସିବା ପରେ ପାକିସ୍ତାନର ଯେଉଁ ଅଂଚଳ ଗୁଡିକ ଆଫଗାନିସ୍ତାନର ସୀମା ସହ ଲାଗିଛି ସେହି ଅଂଚଳରେ ଆତଙ୍କବାଦୀ ଘଟଣା ମାନ ବିପୁଳ ମାତ୍ରାରେ ବୃଦ୍ଧି ପାଇଛି । ପାକିସ୍ତାନୀ ତାଲିବାନ ବା ଟିଟିପି ଏହି ଆତଙ୍କବାଦୀ ଘଟଣା ଗୁଡିକୁ ଘଟାଇଥିବା ନେଇ ଖୋଲାଖୋଲି ଭାବେ ସ୍ବୀକାର ମଧ୍ୟ କରିଛି ।
ଟିଟିପି ପକ୍ଷରୁ କୁହାଯାଇଛି ଯେ ପେଶାବର ଠାରେ ସେମାନେ ହିଁ ଆକ୍ରମଣ କରିଛନ୍ତି । ଟିଟିପିର ଜଣେ ସହଯୋଗୀଙ୍କୁ ପାକିସ୍ତାନୀ ସେନା ଓ ପୋଲିସ ପକ୍ଷରୁ ମାରି ଦିଆଯାଇଥିବାରୁ ଏହାର ପ୍ରତିଶୋଧ ନେବାକୁ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ।
ତେବେ ପାକିସ୍ତାନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏପରି ଘଟଣା କିପରି ପାକିସ୍ତାନରେ ନ ହେବ ସେ ନେଇ ପାକିସ୍ତାନ ଆଫଗାନିସ୍ତାନର ତାଲିବାନ ନେତା ମାନଙ୍କୁ ଭେଟି ସେମାନଙ୍କୁ ଗୁହାରୀ କରିବ । ଏହି କ୍ରମରେ ପାକିସ୍ତାନର ଏକ ପ୍ରତିନିଧି ଦଳ ଇରାନର ରାଜଧାନୀ ତେହେରାନ ଯିବ । ସେହିପରି ଅନ୍ୟ ଏକ ପ୍ରତିନିଧି ଦଳ ଆଫଗାନିସ୍ତାନର ରାଜଧାନୀ କାବୁଲ ଯିବ ।
ଏହି ଉଭୟ ଦେଶକୁ ପାକିସ୍ତାନ କହିବ ଯେ ତାଙ୍କର ସୀମାବର୍ତୀ ଅଂଚଳରେ କିଭଳି ଆତଙ୍କବାଦୀ ମାନଙ୍କ କାର୍ଯ୍ୟକଳାପ ନ ହେବ ତାକୁ ସେମାନେ ଦେଖନ୍ତୁ ଓ ଏଭଳି କାର୍ଯ୍ୟକଳାପ ଉପରେ ଅଂକୁଶ ଲଗାନ୍ତୁ ।
କାବୁଲ ଯାଉଥିବା ପ୍ରତିନିଧି ଦଳ ସେଠାରେ ତାଲିବାନର ଶୀର୍ଷ ନେଚା ମାନଙ୍କ ସହ ସାକ୍ଷାତ କରିବେ । ସେମାନେ ତାଲିବାନର ମୁଖ୍ୟ ସହ କଥାବାର୍ତା କରି ଏପରି ଆକ୍ରମଣ ରୋକିବାକୁ ଚେଷ୍ଟା କରିବାକୁ ଅନୁରୋଧ କରିବେ ବୋଲି ଅନୁମାନ କରାଯାଉଛି ।