ଆଜି ବୈଦେଶିକ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, ୟୁକ୍ରେନରୁ ୧୭ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଆଉ ୩୭୨୬ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ୧୨ଟି ବିମାନର ବ୍ୟବସ୍ଥା କରାଯାଇଛି । ଅପରେସନ ଗଙ୍ଗାରେ ଏଯାଏଁ ମୋଟ ୮୦ଟି ବିମାନ କାମ କରୁଥିବା ବେଳେ ମୋଟ ୨୪ଜଣ ମନ୍ତ୍ରୀ ଆକସନ ମୋଡରେ ଅଛନ୍ତି ।
ଯୁଦ୍ଧ ବେଳର ଏହି ଘଡିସନ୍ଧି ମୂହୂର୍ତ୍ତରେ ଭାରତୀୟମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୋସିଆଲ ମିଡିଆ ପ୍ଲାଟଫର୍ମ କାର୍ଟୁନଟିକୁ ସେୟାର କରିଛନ୍ତି । ଯେଉଁଥିରେ ଦୃଶ୍ୟମାନ ହେଉଛି ଭାରତର ଛାତ୍ରମାନେ ମୋଦିଙ୍କ କାନ୍ଧ ଉପରେ ଚାଲି ନଦୀ ପାର ହେଉଛନ୍ତି । କିନ୍ତୁ ଅନ୍ୟ ଦେଶର ଛାତ୍ରଛାତ୍ରୀ ସେମାନଙ୍କ ସରକାରକୁ ସାହାଯ୍ୟ ଭିକ୍ଷା କରୁଛନ୍ତି କିନ୍ତୁ ଏହା ମିଳୁନାହିଁ । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ଉଦ୍ଧାର ପ୍ରକ୍ରିୟାକୁ ଭାରତ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଉଥିବା ବେଳେ ଚାଇନା, ଆମେରିକା ଏବଂ ଯୁକେ ଭଳି ଦେଶ ସେମାନଙ୍କ ନାଗରିକଙ୍କୁ କହିଦେଇଛନ୍ତି, ଯୁକ୍ରେନରୁ ଫେରିବା ଦାୟିତ୍ବ ନିଜ ନିଜର । ଆଉ ଭାରତ ଫେରିବା ପରେ ବିମାନବନ୍ଦରରରେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । ନିଜ ପୁଅକୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା-ମା ତଥା ଅନ୍ୟ ପରିବାର ଲୋକେ । ଜୀବନ୍ତ ଅବସ୍ଥାରେ ପୁଅକୁ ପାଇଥିବାରୁ ଆଖିରୁ ଲୁହ ଶୁଖୁନି।
ଧୀରେ ଧୀରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଫେରିବା ଅନ୍ୟ କିଛି ପରିବାର ପାଇଁ ଆଶ୍ବସ୍ତି ଆଣିଛି । କାରଣ ଅପରେସନ ଗଙ୍ଗା ସେହିମାନଙ୍କ ମନରେ ଏକ ବଡ ଆଶା ତିଆରି କରିଛି, ଯେଉଁମାନେ ଏବେବି ନିଜ ପରିବାର ସଦସ୍ୟଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।