ଅର୍ଗସ ବ୍ୟୁରୋ: ସେମାନେ ଫେରିଆସିଛନ୍ତି, ବିପଦ ମୁହଁରୁ ଯୁଦ୍ଧର ଦୁନିଆରୁ । ଦେଶକୁ ଆସିଛନ୍ତି, ଓଡ଼ିଶାକୁ ବି ଫେରିଛନ୍ତି । ପଛରେ ଭୟର ୟୁକ୍ରେନ । ଆଖିରୁ ଲିଭିନି କଷ୍ଟର ଲୁହ, କାନରେ ଏବେ ବି ବାଜୁଛି ବିସ୍ଫୋରଣ ଓ ସାଇରନର ସ୍ବର । କିନ୍ତୁ ଦେବଦୂତ ହୋଇ ସେମାନଙ୍କୁ ଆଣିଛି, କେନ୍ଦ୍ର ସରକାରଙ୍କ ମିଶନ ଗଙ୍ଗା । ଓଡ଼ିଶାରୁ ବି ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି । କିନ୍ତୁ ଭାରତ ପହଁଚିବା ପରେ ସେମାନଙ୍କ ୟୁକ୍ରେନ ଦୁଃଖ ବଖାଣିଛନ୍ତି ଛାତ୍ରଛାତ୍ରୀ । ଆସିବା ଦେୟମୁକ୍ତ ଥିବା ବେଳେ, ଫେରିବା ବେଳେ ୟୁକ୍ରେନ ପୋଲିସ ତାଙ୍କୁ ୫୦୦ ଡଲାର ଦାବି କରିଛି । ସ୍ଥିତି ବିଗିଡ଼ିବା ପରେ ବି କ୍ଳାସ କରିବାକୁ କଲେଜରୁ ଆସୁଥିଲା କଲ୍ । ଆଉ ୪ ମାସରେ କୋର୍ସ ସରିବାକୁ ଥିବା ବେଳେ, ସେମାନେ ଆଉ ୟୁକ୍ରେନ ଫେରିପାରିବେ ନା ନାହିଁ, ତାର ଉତ୍ତର କାହା ପାଖରେ ନାହିଁ ।
ଯୁଦ୍ଧର ସ୍ଥିତିରେ ଭାରତୀୟଙ୍କୁ ଶୀଘ୍ର ଓ ସୁରକ୍ଷିତ ଦେଶ ଫେରାଇ ଆଣିବା ମୋଦି ସରକାରଙ୍କ ପ୍ରଥମ ଓ ପ୍ରମୁଖ ପ୍ରାଥମିକତା । ଶୁକ୍ରବାର ବି ପାଖାପାଖି ୨୬୦ ଭାରତୀୟ ଫେରିଛନ୍ତି ଭାରତ । ପୋଲାଣ୍ଡ, ରୋମାନିଆ ଓ ହଙ୍ଗେରୀ ଦେଇ ଦିଲ୍ଲୀ ହିନ୍ଦାନ ଏୟାରବେସରେ ପହଁଚିଛି C-17 ଏୟାରକ୍ରାଫ୍ଟ । ବିମାନବନ୍ଦରରେ ପହଁଚିବା ପରେ ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ।
ଗୋଟିଏ ରାତିରେ ୬୦୦ରୁ ଅଧିକ ରେସ୍କ୍ୟୁ ହୋଇଛନ୍ତି। ଆଗାମୀ ଦୁଇ ଦିନରେ ଆଉ ୭ ହଜାର ଭାରତୀୟଙ୍କୁ ଦେଶ ଫେରାଇ ଆଣିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି । ସାରା ବିଶ୍ବ ୟୁକ୍ରେନରୁ ନିଜ ଦେଶବାସୀଙ୍କୁ ଆଣିବାକୁ ଚାହୁଁଛି । ଏଭଳି ସ୍ଥିତିରେ ଭାରତ ସରକାରଙ୍କ ପ୍ରୟାସକୁ ସାରା ବିଶ୍ବରୁ ପ୍ରଶଂସା ମିଳୁଛି।