ଅର୍ଗସ ବ୍ୟୁରୋ : ଏଲଏସିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ କରିଛନ୍ତି । ଏହି ବୈଠକରେ 5ରୁ ଅଧିକ ସାଂସଦ ଥିବା ଦଳ ଗୁଡିକୁ ଆମନ୍ତ୍ରିତ କରାଯାଇଥିଲା । ଏହି ବୈଠକରେ ସାମିଲ ହୋଇଥିବା ସବୁ ଦଳ କେନ୍ଦ୍ରକୁ ସମର୍ଥନ କରିଥିଲେ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ବୈଠକରେ କହିଛନ୍ତି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସେନା ସହ ଏକଜୁଟ ହୋଇ ରହିଛନ୍ତି ।
ଏହାସହ ସରକାର ନିୟମିତ ରୂପରେ ଦେଶ ଏବଂ ବିରୋଧୀ ଦଳକୁ ଏହା ସମ୍ପର୍କରେ ସୂଚନା ଦେଇ ବିଶ୍ୱାସକୁ ନେବେ ବେଲି ସୋନିଆ କହିଛନ୍ତି । ସେହିପରି ଡିଏମକେ ନେତା ଷ୍ଟାଲିନ ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ସ୍ୱାଗତ କରିଛନ୍ତି । ବୈଠକରେ ମମତା ବାନାର୍ଜୀ ମଧ୍ୟ ଚୀନ ଉପରେ ବର୍ଷିଥିଲେ । ଚୀନ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ । ସେଠାରେ ଏକ ଛତ୍ରବାଦୀ ଶାସନ ଚାଲିଛି । ଏଥିରେ ଭାରତ ଜିତିବ ଏବଂ ଚୀନ ହାରିବ ବୋଲି ମାମତା କହିଥିଲେ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚୀନ ସାମଗ୍ରୀର ବହୁଳ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେଉଥିବା କଥା କହିଛନ୍ତି । ସେହିପରି ଅନ୍ୟ କେହି କେହି ଚୀନ ସାମଗ୍ରୀ ଉପରେ ଶୁକ୍ଳ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।
