ନୂଆଦିଲ୍ଲୀ: ଆଗାମୀ 10 ବର୍ଷ ଯାଏଁ ଭାରତ ଆସିପାରିବେନି 2000ରୁ ଉର୍ଦ୍ଧ୍ୱ ବିଦେଶୀ ଜମାତି । ତବଲିଗି ଜମାତରେ ଯୋଗ ଦେଇଥିବା ବିଦେଶୀ ସଦସ୍ୟଙ୍କ ଉପରେ ମୋଦି ସରକାରଙ୍କ କଡ଼ା କାର୍ଯ୍ୟନୁଷ୍ଠାନ । ଗୃହ ମନ୍ତ୍ରାଳୟ ପକ୍ଷରୁ 47 ଦେଶର ଏହିସବୁ ଜମାତିଙ୍କୁ ବ୍ଲାକଲିଷ୍ଟ କରାଯାଇଥିବା ସୂଚନା ମିଳିଛି । ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ ଏବଂ ତବଲିଗି ଜମାତର କାର୍ଯ୍ୟକଳାପରେ ଜଡିତ ଥିଲେ । ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରିଥିବାରୁ ଏହି ବିଦେଶୀ ନାଗରିକମାନଙ୍କର ଭାରତ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମେ ଦିଲ୍ଲୀ ନିଜାମୁଦ୍ଦିନରେ ଆୟୋଜିତ ତବଲିଗି ଜମାତ ପାଇଁ ବୃଦ୍ଧି ପାଇଥିଲା । ବିଦେଶରୁ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିବା ବିଦେଶୀମାନଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଲା । ପରେ ଦେଶର ପ୍ରତ୍ୟେକ ଦେଶ ପାଇଁ ନିଜ୍ଜାମୁଦ୍ଦିନ ଫେରନ୍ତା ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ । ତେବେ ଏହାପରେ ବିଦେଶୀ ଜମାତିମାନଙ୍କ ଉପରେ କେନ୍ଦ୍ର ସରକାର କଡ଼ା ନଜର ରଖିଥିଲେ । ଏବେ ସେମାନଙ୍କୁ ବ୍ଲାକ୍ ଲିଷ୍ଟ କରିବା ସହ 10 ବର୍ଷ ପାଇଁ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।
ଇଣ୍ଡୋନେସିଆ ସମେତ ବାଂଲାଦେଶ, ମାଲେସିଆ, ମ୍ୟାନମାର, ସୁଡାନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଫିଲିପିନ୍ସ, ଋଷ, ଶ୍ରୀଲଙ୍କାର ଭଳି ଦେଶର ଜମାତି ଦିଲ୍ଲୀ ନିଜାମୁଦ୍ଦିନରେ ଆୟୋଜିତ ମର୍କଜରେ ସାମିଲ ହୋଇଥିଲେ ।
