ପାକିସ୍ତାନ ନିଜର ସ୍ୱାର୍ଥ ପାଇଁ ପାଶ୍ଚାତ୍ୟ ଦେଶ ମାନଙ୍କ ସହଯୋଗରେ ତାଲିବାନକୁ ତିଆରି କରିଥିଲା । ତାଲିବାନ ଜରିଆରେ ଅଂଚଳରେ ନିଜର ପତିଆରା ବୃଦ୍ଧି କରିବାର ଲକ୍ଷ୍ୟ ଥିଲା । ଦେଶର ଦେବାଳିଆ ଆର୍ଥିକ ସ୍ଥିତି, ଅନିୟନ୍ତ୍ରିତ ଦରଦାମ ଭଳି ବିଭିନ୍ନ ଘରୋଇ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ପାକିସ୍ତାନର ସରକାର ପାଇଁ ଟିଟିପି ନୂଆ ଅଡୁଆ ଭାବେ ଉଭା ହୋଇଛି । ଆଫଗାନିସ୍ତାନରେ ତାଲିବାନର ଅଧିକାର ହେବା ପରେ ପାକିସ୍ତାନରେ କାମ କରୁଥିବା ତାଲିବାନର ଶାଖା ତେହେରିକ-ଏ- ତାଲିବାନ ପାକିସ୍ତାନରେ ପୁଣି ଥରେ ଧମକ ଦେଇଛି ।
ପାକିସ୍ତାନୀ ତାଲିବାନ କହିଛି ଯେ ତାଙ୍କ ସଂଗଠନ ସମ୍ପୂର୍ଣ ପାକିସ୍ତାନରେ ଜେହାଦ କରିବ ଓ ଆକ୍ରମଣ କରିବ । ପାକିସ୍ତାନୀ ତାଲିବାନର ଏପରି ନୂଆ ଧମକ ପାକିସ୍ତାନୀ ସରକାରଙ୍କ ମୁଣ୍ଡବ୍ୟଥାକୁ ଆହୁରି ବଢାଇ ଦେଇଛି । ତେହେରିକ-ଏ- ତାଲିବାନ ପାକିସ୍ତାନ ବା ଟିଟିପି ହେଉଛି ଆଫଗାନିସ୍ତାନୀ ତାଲିବାନର ଭାଇ ।
ଏହି ଇସଲାମୀ ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ତାଲିବାନରୁ ପ୍ରେରଣା ହାସଲ କରି ଥାଏ । ଟିଟିପିର ଏକ ମାତ୍ର ଲକ୍ଷ୍ୟ ହେଲା ପାକିସ୍ତାନରେ ସମ୍ପୂର୍ଣ ଭାବେ ଇସଲାମୀ ଆଇନ ବା ଶରିଆ ଆଇନ ଲାଗୁ କରାଇବା । ଆଫଗାନିସ୍ତାନରେ ତାଲିବାନର ଶାସନ ଆସି ଯିବା ପରେ ଟିଟିପିରେ ମଧ୍ୟ ଉତ୍ସାହ ଆସି ଯାଇଥିଲା ଓ ସେମାନେ ପାକିସ୍ତାନୀ ସେନ୍ୟବାହିନୀ ଉପରେ ଲଗାତାର ଆକ୍ରମଣ କରିବାରେ ଲାଗିଥିଲେ ।
ଟିଟିପିର ଏପରି କାର୍ଯ୍ୟକଳାପ ପାକିସ୍ତାନର ନିଦ ହଜାଇ ଦେଇଥିଲା ଓ ସେମାନେ ତାଲିବାନକୁ ଟିଟିପି ଉପରେ ନିୟନ୍ତ୍ରଣ କରିବାକୁ କହିଥିଲେ । ପ୍ରଥମେ ଟିଟିପି ନେତୃତ୍ୱ ଆଫଗାନିସ୍ତାନର ତାଲିବାନ ନେତୃତ୍ୱ ର କଥା ଶୁଣି ନ ଥିଲେ । ହେଲେ ପରବର୍ତୀ ସମୟରେ ସେମାନେ ତାଲିବାନର ମଧ୍ୟସ୍ଥତାରେ ପାକିସ୍ତାନର ଇମରାନ ସରକାରଙ୍କ ସହ ଅସ୍ତ୍ର ବିରତି କରିବାକୁ ରାଜି ହୋଇଥିଲେ ।
ତେବେ ଟିଟିପି ପୁଣି ଥରେ ଏଥିରୁ ଓହରି ପାକିସ୍ତାନରେ ଆକ୍ରମଣ କରିବାର ଧମକ ଚମକ ଦେବା ଆରମ୍ଭ କଲାଣି । ତେହେରିକ-ଏ- ତାଲିବାନ ପାକିସ୍ତାନ ଏବେ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିଶେଷ ଭାବେ ପାକିସ୍ତାନୀ ସେନା ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି । ଫଳରେ ଅନେକ ପାକିସ୍ତାନୀ ସେନା ସେମାନଙ୍କର ଆକ୍ରମଣରେ ପ୍ରାଣ ହରାଇସାରିଲେଣି । ତେଣୁ ପାକିସ୍ତାନ ସରକାର ଆଗାମୀ ଦିନରେ ଟିଟିପି ପକ୍ଷରୁ ଆହୁରି ଜୋରଦାର ଆକ୍ରମଣ ହେବ ବୋଲି ଆଶଙ୍କା ପ୍ରକାଶ କରି ଏହି ଆଲର୍ଟ ଜାରୀ କରିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।