ପାକିସ୍ତାନରୁ ପ୍ରକାଶିତ ହେଉଥିବା ଗଣମାଧ୍ୟମ ରିପୋର୍ଟରେ ସରକାରୀ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି କାରଣରୁ ପାକିସ୍ତାନର କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧି କରି ପାରେ । ପାକିସ୍ତାନରେ ବର୍ତମାନ ପ୍ରତି ଲିଟର ପେଟ୍ରୋଲ 272 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ବଢି 287 ଟଙ୍କା ପ୍ରତି ଲିଟର ଯାଏ ହୋଇ ପାରେ ବୋଲି ରିପୋର୍ଟରେ ଦର୍ଶା ଯାଇଛି ।
ପାକିସ୍ତାନର ଆର୍ଥିକ ପରିସ୍ଥିତି ଖରାପ ହୋଇଥିବା କାରଣରୁ ସେଠାକାର ସରକାର ପାଇଁ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେହିପରି ବିଦେଶରୁ ଋଣ ପାଇଁ ମଧ୍ୟ ବିଭିନ୍ନ ସଂସ୍ଥା ପେଟ୍ରୋଲ ଭଳି ଆବଶ୍ୟକୀୟ ସାମଗ୍ରୀର ଦାମ ବୃଦ୍ଧି କରିବାକୁ ବାରମ୍ବାର ସର୍ତ ରଖି ଆସୁଛନ୍ତି । ତେଣୁ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଲେ ପାକିସ୍ତାନ ବିଦେଶରୁ ଋଣ ପାଇବାରେ ସମର୍ଥ ହେବ ବୋଲି ମଧ୍ୟ ପାକିସ୍ତାନ ସରକାର ଚିନ୍ତା କରୁଥିବା ଜଣା ପଡୁଛି ।
ପାକିସ୍ତାନରେ ପାଖାପାଖି ଦୁଇ ମାସ ତଳେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେତେବେଳେ ପାକିସ୍ତାନ ସରକାର ପେଟ୍ରୋଲରେ ପ୍ରତି ଲିଟର 22 ଟଙ୍କା ଓ ଡିଜେଲରେ 17 ଟଙ୍କା ମୂଲ୍ୟ ବୃଦ୍ଧି କରିଥିଲେ । । ଏହି ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ ଲିଟର 272 ଟଙ୍କା ଓ ଡିଜେଲର ମୂଲ୍ୟ 280 ଟଙ୍କାରେ ପହଂଚିଥିଲା । ଗତ ତିନି ମାସ ଭିତରେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର 58 ଟଙ୍କା ଓ ଡିଜେଲ ମୂଲ୍ୟ 53 ଟଙ୍କା ବଢିସାରିଛି ।
ଏହା ଦ୍ୱାରା ପାକିସ୍ତାନରେ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ପାକିସ୍ତାନର ଫାଇନାନ୍ସ ଡିଭିଜନ ପକ୍ଷରୁ ପେଟ୍ରୋଲ ଡିଜେଲର ମୂଲ୍ୟରେ ରେକର୍ଡ ବୃଦ୍ଧିର କାରଣ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ଖୁବ ହ୍ରାସ ପାଇବା ବୋଲି ସେତେବେଳେ କୁହା ଯାଇଥିଲା ।
ପାକିସ୍ତାନରେ କେବଳ ପେଟ୍ରୋଲ ହିଁ ନୁହେଁ ଅନ୍ୟ ସମସ୍ତ ସାମଗ୍ରୀ ଯେପରି କିରୋସିନି, ଲାଇଟ ଡିଜେଲ, ହାଇ ସ୍ପିଡ ଡିଜେଲ ଆଦିର ଦାମ ମଧ୍ୟ ବଢା ଯାଇଛି। ଏହା ଦ୍ୱାରା ପାକିସ୍ତାନରେ ଦରଦାମ ବୃଦ୍ଧି ଆହୁରି ବଢିବ ବୋଲି ଆକଳନ କରାଯାଉଛି । ମୁଡି ଆନାଲିଟିକ୍ସର ସିନିୟର ଇକୋନମିଷ୍ଟ କ୍ୟାଟରିନା ଏଲ କହିଛନ୍ତି ଯେ 2023 ମସିହା ଜୁନ ମାସ ସୁଦ୍ଧା ପାକିସ୍ତାନର ମୁଦ୍ରାସ୍ଫିତି ରେକର୍ଡ 33 ପ୍ରତିଶତରେ ପହଂଚି ଯିବ।
ଅଧିକ ପଢନ୍ତୁ ବିଦେଶ ଖବର