କୋର୍ଟରେ ଏନଆଇଏ ପିଏଫଆଇକୁ ପ୍ରତିବନ୍ଧିତ କରିବା ସହ ଗିରଫ କରିଥିବା ସଦସ୍ୟ. ମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ଏହା ସହିତ ଜାଂଚ ପାଇଁ ଅଧିକ ସମୟ ପ୍ରଦାନ କରିବାକୁ କୋର୍ଟରେ ଅନୁରୋଧ କରିଥିଲା । କୋର୍ଟ ଏନଆଇଏର ଅନୁରୋଧକୁ ସ୍ୱୀକାର କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କର ହାଜତ ଅବଧିକୁ ଆହୁରି 90 ଦିନ ବଢାଇ ଦେଇଛନ୍ତି । କୋର୍ଟରେ ପ୍ରଦାନ କରିଥିବା ଏହି ରିପୋର୍ଟରେ ଏନଆଇଏ କହିଛି ଯେ ପିଏଫଆଇର ଅନେକ ନେତା ଇସଲାମିକ ଷ୍ଟେଟ ଓ ଅଲକାଏଦା ଆତଙ୍କବାଦୀ ମାନଙ୍କର ଯୋଗାଯୋଗରେ ଥିଲେ । ଏନଆଇଏ ନିକଟରେ ଏହାର ପ୍ରମାଣ ମଧ୍ୟ ରହିଛି ।
ପ୍ରତିବନ୍ଧିତ ଇସଲାମୀ ସଂଗଠନ ପିଏଫଆଇର ଏକ ଗୁପ୍ତ ଶାଖା ମଧ୍ୟ ଚାଲୁଥିଲା । ପିଏଫଆଇର ଏହି ଗୁପ୍ତ ଶାଖା ଅନ୍ୟ ଧର୍ମର ପ୍ରମୁଖ ଲୋକ ମାନଙ୍କୁ ହତ୍ୟା କରିବାକୁ ହିଟ ଲିଷ୍ଟ ତିଆରି କରିଥିଲା । ପିଏଫଆଇର ଏହି ଗୁପ୍ତ ଶାଖାର ରାଜ୍ୟ ବ୍ୟାପୀ ନେଟୱର୍କ ରହିଛି । ଅନ୍ୟ ଧର୍ମର ପ୍ରମୁଖ ଲୋକ ମାନଙ୍କର ଡାଟା ସଂଗ୍ରହ ଓ ତାଲିକା ପ୍ରସ୍ତୁତ କରିବା ଏହି ଗୁପ୍ତ ଶାଖାର କାମ ଥିଲା ବୋଲି ଜାଂଚ ଏଜେନ୍ସୀ କୋର୍ଟକୁ ଜଣାଇଛି ।ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଓ ଅଲକାଏଦା ଭଳି ଆତଙ୍କବାଦୀ ସଂଗଠନ ମାନେ ଯେଉଁ ଦେଶରେ ଖୋଲା ଖୋଲି ଭାବେ କାମ କରି ପାରୁ ନ ଥିଲେ ସେହି ଦେଶ ମାନଙ୍କରେ ପିଏଫଆଇ ଭଳି ସଂଗଠନକୁ ବ୍ୟବହାର କରି ନିଜର ବିଧ୍ବଂସକ କାର୍ଯ୍ୟକଳାପ କରୁଥିଲେ ।
କୋର୍ଟରେ ଏନଆଇଏ ଆହୁରି କହିଛି ଯେ କେରଳର ପିଏଫଆଇର କିଛି ନେତା ଅଲକାଏଦାର ନେତା ମାନଙ୍କ ସହ ନିରନ୍ତର ସମ୍ପର୍କରେ ରହୁଥିଲେ । ଏହି ସମ୍ପର୍କରେ ବିସ୍ତୃତ ଜାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି ଏନଆଇଏ କୋର୍ଟରେ ପ୍ରକାଶ କରିଛି ।