ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ୱ ତୁଲାଇବେ ପିୟୂଷ ଗୋଏଲ । ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପରଲୋକ ପରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ୱ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି । ପୀୟୂଷ ଏବେ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ।
ରାମବିଳାସ ପାଶୱାନ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ତାଙ୍କର ହୃଦ ଅପରେସନ କରାଯାଇଥିଲା ଏବଂ ଆଉ ଏକ ଅପରେସନ ହେବାକୁ ବାକି ରହିଥିଲା । ମାତ୍ର ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ୧୯୪୬ ମସିହା ଜୁଲାଇ ୫ ତାରିଖରେ ବିହାରର ଖଗରିଆ ଜିଲ୍ଲା ଶାହାରବନ୍ନିରେ ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବିହାରର ଏହି ରାଜନେତା ୮ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିଲେ।