ସ୍ଥାନୀୟ ବା ଆଂଚଳିକ ଭାଷାରେ କୋର୍ଟର କାମ କରିବା ଦିଗରେ ସମସ୍ତ ରାଜ୍ୟ ସରକାର ଓ ନ୍ୟାୟପାଳିକା ପଦକ୍ଷେପ ନେବା ଉଚିତ। ଏହି ନ୍ୟାୟିକ ବ୍ୟବସ୍ଥାରେ ଦେଶର ସାଧାରଣ ନାଗରିକଙ୍କ ଆତ୍ମବିଶ୍ୱାସ ବଢ଼ାଇବ ଏବଂ ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଏହାସହ ଜଡ଼ିତ ହୋଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ଭାରତ ସରକାର ସଂକଳ୍ପବଦ୍ଧ । ନ୍ୟାୟ ବ୍ୟବସ୍ଥାର ଉନ୍ନତି ପାଇଁ କାର୍ଯପାଳିକା ଓ ନ୍ୟାୟପାଳିକା ମିଳିତ ଭାବରେ ପ୍ରୟାସ କରୁଛନ୍ତି । ଭିତିଭୂମିରେ ମଧ୍ୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସମ୍ବିଧାନର ତିନୋଟି ଅଙ୍ଗ ମଧ୍ୟରେ ସୁସଂଗତ କାର୍ଯ୍ୟ ଗଣତନ୍ତ୍ରକୁ ମଜଭୁତ କରେ। ତେବେ ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାକୁ ପଡିବ। ତେଣୁ କର୍ତ୍ତବ୍ୟ ପାଳନ କରିବାବେଳେ ସେ ତାଙ୍କର ଲକ୍ଷ୍ମଣରେଖା ଭୁଲିଯିବା ଉଚିତ୍ ନୁହଁ ବୋଲି ଏହି ସମ୍ମିଳନୀରେ ଯୋଗଦେଇ ନିଜର ସମ୍ବୋଧନରେ କହିଛନ୍ତି ପ୍ରଧାନ ବିଚାରପତି ଏନ୍.ଭି ରାମନା।
କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜୁଜୁ କହିଛନ୍ତି ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ସଚ୍ଚୋଟ ଏବଂ ଗଠନମୂଳକ କଥାବାର୍ତ୍ତା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ସୁଯୋଗ। ଏହା ଲୋକମାନଙ୍କୁ ଠୋସ୍ ନ୍ୟାୟ ଯୋଗାଇବାରେ ସହଯୋଗ କରିବ ।
ଏହି ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ସମସ୍ତ ୨୫ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ଥିଲେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି କାର୍ୟ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଏହାପୂର୍ବରୁ ୨୦୧୬ରେ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଆହୁରି ଅଧିକ ଭାରତର ଅନ୍ଯ ଖବର ପଢନ୍ତୁ…