
ଅର୍ଗସ ବ୍ୟୁରୋ : ଦେଶରେ ଟିକା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । କେମିତି ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ ସେ ଦିଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପରିସ୍ଥିତିର ସମୀକ୍ଷା କରି ଟିକାକରଣ ହାରରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ଏନଜିଓ ସହାୟତାରେ ଏହି ଟିକା ଅଭିଯାନକୁ ବ୍ୟାପକ କରିବାକୁ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, "ଦେଶରେ ଟିକାକରଣର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ । ବୟାନ ଅନୁଯାୟୀ ଟିକାକରଣ କେତେ ହୋଇଛି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ କେତେ ଟିକା ଦିଆଯାଇଛି ସେ ବାବଦରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ ଟିକା ଯୋଗାଣ ତଥା ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ ନେଇ ରୋପର୍ଟ ନେଇଛନ୍ତି ପ୍ରଧାନମନ୍ତ୍ରୀ।
ଜୁନ 21ରୁ ଏଯାଏଁ ମାତ୍ର 6 ଦିନରେ 3.77 କୋଟି ଡୋଜ୍ ଦେଶରେ ଦିଆଯାଇଥିବା ନେଇ ମଧ୍ୟ ରିପୋର୍ଟ ଦିଆଯାଇଛି । ଯାହା ମାଲେସିଆ, ସାଉଦି ଆରବ ଏବଂ କାନାଡା ଭଳି ଦେଶର ସମୁଦାୟ ଜନସଂଖ୍ୟାଠାରୁ ଅଧିକ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁସାରେ ଦେଶର 128 ଟି ଜିଲ୍ଲା 45+ ଜନସଂଖ୍ୟାର 50% ରୁ ଅଧିକ ଟିକା ଦେଇଛନ୍ତି ଏବଂ 16 ଟି ଜିଲ୍ଲା 45+ ଜନସଂଖ୍ୟାର 90% ରୁ ଅଧିକ ଟିକା ଦେଇଛନ୍ତି। ଏହି ସପ୍ତାହରେ ଟୀକାକରଣର ଦ୍ରୁତ ଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଗତି ଆଗକୁ ବଢାଇବା ଜରୁରୀ ବୋଲି ସେ କହିଛନ୍ତି।
ଏଥିରେ କୁହାଯାଇଛି ଯେ ଟୀକାକରଣ ପାଇଁ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅଭିନବ ପ୍ରଣାଳୀ ଅନୁସନ୍ଧାନ ତଥା କାର୍ଯ୍ୟକାରୀ କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଏନଜିଓ ତଥା ଅନ୍ୟାନ୍ୟ ସଂଗଠନକୁ ଏଭଳି ଉଦ୍ୟମରେ ଜଡିତ କରିବାର ଆବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ।
ପରୀକ୍ଷଣର ଗତି ଯେପରି କମ ନହୁଏ ସେଥିପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ରାଜ୍ୟ ସହ କାର୍ଯ୍ୟ କରିବାକୁ କହିଛନ୍ତି ଏବଂ କହିଛନ୍ତି ଯେ କୌଣସି ଅଞ୍ଚଳରେ ବଢୁଥିବା ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହୋଇ ରହିଛି।
