ନୂଆଦିଲ୍ଲୀ : ଆଗ୍ରା ମେଟ୍ରୋ ରେଳ ପରିଯୋଜନା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । 2019 ମାର୍ଚ୍ଚ 8ରେ କାନପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଗ୍ରା ମେଟ୍ରୋ ରେଳ ପରିଯୋଜନାରେ 29.4 କିଲୋମିଟରର ଦୁଇଟି କରିଡର ନିର୍ମାଣର ପ୍ରସ୍ତାବ ରହିଛି। ତାଜ ଇଷ୍ଟ ଗେଟଠାରୁ ସିକନ୍ଦରା ମଧ୍ୟରେ ପ୍ରାୟ 14 କିଲୋମିଟର ଲମ୍ୱା ପ୍ରଥମ କରିଡର ନିର୍ମାଣ ହେବ । ଏଥିରେ ମୋଟ 13ଟି ମେଟ୍ରୋ ଷ୍ଟେସନ ରହିବ । ସେହିପରି ଦ୍ୱିତୀୟ କରିଡର ଆଗ୍ରା କ୍ୟାଣ୍ଟ ଠାରୁ କାଲିନ୍ଦା ବିହାର ମଧ୍ୟରେ ନିର୍ମାଣ ହେବ । ଯାହାର ଲମ୍ୱା 15.4 କିଲୋମିଟର ରହିବ ଏବଂ ଏଥିରେ ମୋଟ 14ଟି ମେଟ୍ରୋ ଷ୍ଟେସନ ରହିବ । ଏହି ପ୍ରକଳ୍ପ ପାଇଁ ପ୍ରାୟ 8 ହଜାର 380 କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 800 କୋଟିରୁ ଅଧିକ ଏହି ପ୍ରୋଜେକ୍ଟ ଆଗ୍ରାରେ ସ୍ମାର୍ଟ ସୁବିଧାର ମିଶନକୁ ଆହୁରି ମଜବୁତ କରିବ। ଗତ 6 ବର୍ଷ ମଧ୍ୟରେ ୟୁପି ସହ ସମ୍ପୂର୍ଣ୍ଣ ଦେଶରେ ଯେଉଁ ଗତିରେ ମେଟ୍ରୋ ନେଟୱର୍କ ଉପରେ କାମ କରାଯାଉଛି ଏହା ସରକାରଙ୍କ ପରିଚୟ ଏବଂ ପ୍ରତିବଦ୍ଧତାକୁ ଦର୍ଶାଉଛି। ଦେଶରେ 27ଟି ସହରରେ ମେଟ୍ରୋ କାମ ସମ୍ପୂର୍ଣ୍ଣ ହୋଇ ସାରିଛି। ୟୁପିରେ ମେଟ୍ରୋ ନେଟୱର୍କ ସହ ଯୋଡାଯାଇଥିବା ଆଗ୍ରା ହେଉଛି ସପ୍ତମ ସହର।
ଆଗ୍ରା ମେଟ୍ରୋର ଟ୍ରାୟଲ ଦୁଇ ବର୍ଷ ମଧ୍ୟରେ ହେବ। 2025-26 ଯାଏଁ 30 କିମି ଲମ୍ବା ଟ୍ରାକରେ ମେଟ୍ରୋ ଦୌଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଐତିହାସିକ ସହର ଆଗ୍ରାକୁ ପବ୍ଲିକ ଟ୍ରାନ୍ସପୋର୍ଟର ନୂତନ ସ୍ଵରୂପ ମେଟ୍ରୋ ରୂପରେ ପ୍ରାପ୍ତ ହୋଇଛି। ଆଗ୍ରାବାସୀଙ୍କ ପାଇଁ ଆଜିର ଦିନ ମହତ୍ଵପୂର୍ଣ୍ଣ।