ଅବସର ଥିଲା ରାଷ୍ଟ୍ରୀୟ ଏକତା ଦିବସ ପରେଡର । ପରେଡରେ ଅଭିବାଦନ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଦେଶର ଏକତା ଅଖଣ୍ଡତା ପ୍ରସଙ୍ଗ ସହ ପୁଲୱାମା ଆକ୍ରମଣ ନେଇ ତାଙ୍କ ମନରେ ଥିବା ପୀଡ଼ାକଥା ବୟାନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏ ଘଟଣାକୁ ନେଇ ସେତେବେଳେ ଯେଉଁଭଳି ରାଜନୀତି କରାଯାଇଥିଲା ତାକୁ ନେଇ ବିରୋଧୀଙ୍କୁ ମୋଦି ସମାଲୋଚନା କରିଥିଲେ । ଯବାନଙ୍କ ସହିଦ ହେବା ନେଇ ସାରାଦେଶ ଦୁଖରେ ଥିବାବେଳେ କିଛି ଲୋକ କିପରି ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ଲାଗିଥିଲେ ସେକଥାକୁ ଦେଶବାସୀ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ପିଏମ୍ ।
ପୁଲୱାମା ଘଟଣାରେ ତାଙ୍କୁ ବି କିପରି ବଦନାମ କରାଯାଇଥିଲା ସେକଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ପରେ ଏବେ ସେମାନଙ୍କର ଅସଲ ଚେହେରା ଧାରପଡ଼ିଯାଇଛି ବୋଲି କହିଛନ୍ତି ମୋଦି । ଏଥିସହ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଆହ୍ଵାନ ଦେଇଥିଲେ ଏପରି ରାଜନୀତି କରନ୍ତୁ ନାହଁ ଯାହା ଦେଶର ଯବାନଙ୍କ ମନୋବଳକୁ ଆଘାତ କରିବ ।
ଲୌହ ପୁରୁଷ, ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ, ଦେଶର ପ୍ରଥମ ଗୃହ ମନ୍ତ୍ରୀ ତଥା ଭାରତ ରତ୍ନ ସର୍ବଦା ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ କରାଯାଉଛି । ପରେଡ ପୂର୍ବରୁ ଦୁନିଆର ସର୍ବୋଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ ୟୁନିଟିର ପଦ ବନ୍ଦନା କରିଥିଲେ ମୋଦି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 145 ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ପରିସର ଦେଶ ପ୍ରେମରେ ରଙ୍ଗାୟିତ ହୋଇଥିଲା । ପରେଡ ଗ୍ରାଉଣ୍ଡରେ ଜୁନାଗଡ଼ ଦୁର୍ଗ ପ୍ରାଚୀରର ପ୍ରତିବିମ୍ବ ନିର୍ମାଣ କରାଯାଇଥିଲା । ଯାହା 23 ଶହ ବର୍ଷର ଗୌରବଶାଳୀ ଐତିହ୍ୟ ବହନ କରୁଛି । ପରେଡରେ CRPF, ITBP, CISF, ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ,NSG ଓ ଗୁଜରାଟ ପୋଲିସର ଜବାନ ସାମିଲ ହୋଇଥିଲେ । CRPFର ମହିଳା ଅଧିକାରୀଙ୍କ ଦ୍ବାରା ରାଇଫଲ ଡ୍ରିଲ କରାଯାଇଥିଲା । ପରେଡ ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ । ଏହାପରେ କେୱଡିଆର ଆଦିବାସୀ ପରମ୍ପରାକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଦର୍ଶିତ କରାଯାଇଥିଲା । ଏହି ଆବସରରେ 12 ଅକ୍ଟୋବର 1947ରେ ଦଶହରା ଅବସରରେ ସର୍ଦ୍ଦାର ପଟେଲ ଦେଇଥିବା ଭାଷଣର ରେକର୍ଡ ଶୁଣିବାକୁ ମିଳିଥିଲା । ଯେଉଁଥିରେ ଲୌହମାନବ ଭାରତକୁ ସଂଗଠିତ କରିବାକୁ ଆହ୍ଵାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗୁଜରାଟ ଗସ୍ତର ଆଜି ଥିଲା ଦ୍ଵିତୀୟ ଦିନ । ଗତକାଲି ପିଏମ ଅନେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ।