ନୂଆଦିଲ୍ଲୀ : କରୋନା ଭୂତାଣୁ ଚେନ୍ ଭାଙ୍ଗିବା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରେ ପହଁଚିଲାଣି। 20 ଜଣଙ୍କର ମୃତ୍ୟୁ ଘଟିଲାଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶରେ ବର୍ତ୍ତମାନ ଉପୁଜି ଥିବା ସ୍ଥିତି ବିଷୟରେ ମୋଦି ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଆଜି ସାରା ଦେଶର ମନରେ ଗୋଟିଏ କଥା ରହିଛି। ଲକଡାଉନ କାରଣରୁ ଲୋକମାନଙ୍କୁ ବହୁ ଅସୁବିଧା ହେଉଛି। ଏଥିପାଇଁ ସେ ଦେଶବାସୀଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି।
ମୋଦି କହିଛନ୍ତି ଯେ, କରୋନା ବୈଶ୍ଵିକ ମହାମାରୀ ସଙ୍କଟ। ଏମିତିରେ ମୁଁ ଯଦି ଅନ୍ୟ କୋଣସି ବିଷୟରେ ଆଲୋଚନା କରିବି ତେବେ ଉଚିତ୍ ହେବ ନାହିଁ। 130 କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ କରୋନା ବିରୋଧରେ ଲଢେଇ ପାଇଁ ଅନ୍ୟ କୋଣସି ରାସ୍ତା ନାହିଁ। ଏଥିପାଇଁ କଠୋର ପଦକ୍ଷେପ ନେବା ଜରୁରୀ। ରୋଗ ବିରୁଧରେ ଲଢେଇ ନିହାତି ଆବଶ୍ୟକ। ନଚେତ୍ ପରେ ଏହା ଅସାଧ୍ୟ ହୋଇ ପଡ଼ିବ। ଭାରତ ଆଜି ଏୟା କରୁଛି।
ମୋଦି କହିଛନ୍ତି ଯେ ,ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଚାଲିଛି , ଆମେ ଯୁଦ୍ଧ ଜିତିବୁ । ମୁଁ ଜାଣିଛି କେହି କାନୁନ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି। କିନ୍ତୁ କିଛି ଲୋକ କାନୁନ ଭାଙ୍ଗୁଛନ୍ତି। ସ୍ଥିତିକୁ ଗମ୍ଭୀରତାର ସହ ବୁଝୁ ନାହାଁନ୍ତି। ଆମ ଜୀବନ ମୂଲ୍ୟବାନ,ଏଥିପ୍ରତି ସଜାଗ ରହିବା। ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା। କରୋନାକୁ ପ୍ରତିହତ କରିବା ପାଇଁ ଆମେ ମିଳିମିଶି ଲଢିବା। କରୋନା ପାଇଁ ଆମେ ଲକ୍ଷ୍ମଣରେଖା ପାଳନ କରିବା। ଲକଡାଉନ ଭାଙ୍ଗିଲେ କରୋନା ସହ ଲଢେଇ କରିପାରିବା ନାହିଁ। ନିୟମ ଭାଙ୍ଗୁଥିବା ଲୋକ ନିଜ ଜୀବନ ସହ ଖେଳୁଛନ୍ତି।
କରୋନାରେ ପୀଡିତ ହୋଇ ସୁସ୍ଥ ହୋଇଥିବା ରାମଗପ୍ପା ତେଜା ଓ ଅନ୍ୟ ଜଣେ ବ୍ୟକ୍ତି ଅଶୋକ କପୁରଙ୍କ ସହ ଏହି ସମୟରେ ମୋଦି କଥା ହୋଇଛନ୍ତି। ଭାରତରେ ସଙ୍କଟପୂର୍ଣ୍ଣ ସ୍ଥିତି ନଉପୁଜୁ। ଏଥିପାଇଁ ଲଗାତର ଚେଷ୍ଟା କରୁଥିବା ଡାକ୍ତର, ନର୍ସଙ୍କ ତ୍ୟାଗ, ତପସ୍ୟା, ସମର୍ପଣ ଦେଖି ମୋଦି ଆଚାର୍ଯ୍ୟ ଚରକଙ୍କୁ ମନେ ପକାଇଛନ୍ତି। ଡାକ୍ତର ନର୍ସ ଓ ମେଡିକାଲ୍ କର୍ମଚାରୀ ହେଉଛନ୍ତି ଅସଲ ଯୋଦ୍ଧା । ବ୍ୟାଙ୍କିଂ ସେବା ସରକାର ଜାରି ରଖିବେ ବୋଲି ସେ କହିଛନ୍ତି।
