କଂଗ୍ରେସକୁ ସଫା ସଫା ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ବର୍ଷ ହେଲାଣି ଅନେକ ରାଜ୍ୟରେ ଆପଣଙ୍କୁ ଭୋଟ୍ ମିଳୁନି ହେଲେ ବି ଆପଣଙ୍କ ଅହଂକାରରେ କୌଣସି ପରିବର୍ତ୍ତନ ନାହିଁ । ଆଉ ଆପଣ ଏହା ନିଶ୍ଚିତ କରିସାରିଛନ୍ତି ଯେ ଆଗାମୀ 100 ବର୍ଷ ପର୍ଯ୍ୟନ୍ତ ସରକାରକୁ ଆସିବେ ନାହିଁ । ମୁଁ ବି ପ୍ରସ୍ତୁତି କରସାରିଛି ବୋଲି କହି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ।
ଦେଶରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଭିଯାନ ବେଶ୍ ସଫଳତାର ସହ ଆଗେଇ ଚାଲିଛି । ସରକାର ଭୋକାଲ ଫର୍ ଲୋକାଲ ଉପରେ ଗୁରୁତ୍ବ ଦେଉଛନ୍ତି । ମହାମାରୀର ସଫଳ ମୁକାବିଲା ହୋଇପାରିଛି । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ପ୍ରତିରକ୍ଷା ପ୍ରତ୍ୟୋକ କ୍ଷେତ୍ରରେ କେନ୍ଦ୍ର ସରକାର ସଫଳତାର ସହ କାମ କରୁଛନ୍ତି । ମାତ୍ର ବିରୋଧି ବିଶେଷ କରି କଂଗ୍ରେସ ଦେଶର ବିକାଶରେ ବାଧକ ସାଜିଛି । ଦେଶର ଅନେକ ରାଜ୍ୟରୁ କଂଗ୍ରେସ କ୍ଷମତାରୁ ଗଲାପରେ ମଧ୍ୟ ବିକାଶକୁ ବିରୋଧ କରିବାର ସେହି ପୁରୁଣା ଅଭ୍ୟାସ କଂଗ୍ରେସକୁ ପୁଣି ଧ୍ବଂସ ଆଡ଼କୁ ନେଉଛି ବୋଲି ଆକ୍ଷେପ କରି କହିଥିଲେ ପ୍ରଧାନମନ୍ତ୍ରୀ । ଦେଶ ଏବେ ବିକାଶ ଧାରାରେ ଆଗକୁ ବଢୁଛି । ଦେଶ ଅନେକ କ୍ଷେତ୍ରରେ ମଜବୁତ ହୋଇଛି । ଚୁଲି ଧୂଆଁରୁ ମହିଳାମାନେ ମୁକ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।