
ଅର୍ଗସ ବ୍ୟୁରୋ : ଜାମ୍ମୁ କାଶ୍ମୀରର ବାନ୍ଦୀପୁରା ଜିଲ୍ଲାର ବୁଧବାର ରାତ୍ରୀରେ ଆତଙ୍କବାଦୀମାନେ ବିଜେପି ନେତା ୱସୀମ ବାରି, ତାଙ୍କ ପିତା ଏବଂ ଭାଇଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ନେତା ଜିତେନ୍ଦ୍ର ସିଂହ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ୱସୀମ ବାରୀଙ୍କ ହତ୍ୟା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି। ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ୱସୀମଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବିଜେପି ନେତା ୱସିମ ବାରି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ମୃତ୍ୟୁ ଘଟଣାରେ ଦଳକୁ ବଡ କ୍ଷତି ହୋଇଛି। ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ସମ୍ପୂର୍ଣ୍ଣ ଦଳ ପୀଡିତଙ୍କ ପରିବାର ସହିତ ଅଛି।
ସେହିପରି ପାର୍ଟି ନେତା ରାମ ମାଧବ ଶୋକ ବ୍ୟକ୍ତ କରିଛନ୍ତି। ଜାମ୍ମୁ କାଶ୍ମୀରରେ ବିଜେପିର ପ୍ରମୁଖ ରଣନୀତିକାର ଟ୍ଵିଟ୍ କରି ଲେଖିଛନ୍ତି ଯେ, ବାନ୍ଦୀପୋରାରେ ବିଜେପି ନେତା ବାରୀ, ତାଙ୍କ ପିତା ଓ ଭାଇଙ୍କୁ ହତ୍ୟା କରିବା ଘଟଣାରେ ମୁଁ ଦୁଃଖୀ। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।

