ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ମନ୍ତବ୍ୟ ରଖିଛନ୍ତି । ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଜାନୁଆରୀ 31ରେ ଉଭୟ ରାଜ୍ୟସଭା ଏବଂ ଲୋକସଭା ପାଇଁ ମିଳିତ ବୈଠକକୁ ସମ୍ବୋଧନ କରିଥିଲେ । ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ବହୁ ମହତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋକପାତ କରିଥିଲେ ।
ତେବେ ଆଜି ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଥିଲେ, ‘ଯଦି ଆମେ ସେହି ତାରିଖ ଅନୁସାରେ ଚାଲିବୁ, ଯେଉଁ ତାରିଖରେ ଆପଣମାନେ ଚାଲୁଛନ୍ତି ତେବେ ଦେଶରୁ ଧାରା 370 କେବେବି ଉଠିପାରିନଥାନ୍ତା । ମୁସଲିମ ମହିଳାମାନଙ୍କୁ ଆଜି ବି ତିନି ତଲାକ୍ ଧାରୁଆ ଅସ୍ତ୍ର ଭଳି ଡରାଉଥାନ୍ତା । ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଭଳି ଦଣ୍ଡ ଆସିପାରିନଥାନ୍ତା । ରାମ ଜନ୍ମଭୂମି ଏବେ ବି ବିବାଦ ଘେରରେ ଥାଆନ୍ତା । କରତାରପୁର କରିଡରର ନିର୍ମାଣ ହୋଇନଥାନ୍ତା । ଭାରତ-ବାଂଲାଦେଶ ସୀମା ବିବାଦର ଅନ୍ତ ଘଟିନଥାନ୍ତା ।’
ଏହାସହ ମୋଦି ଆହୁରି ମଧ୍ୟ କହିଥିଲେ ଯେ, ସୀମା ବିବାଦ ହେଉ ଅବା ସାମରିକ ସାମର୍ଥ୍ୟ ବୃଦ୍ଧି ବହୁ ଦଶକ ଧରି ଦେଶରେ ଝୁଲି ରହିଥିଲା । ମୋଦି ସରକାର ଏହାର ସମାଧାନର ବାଟ ବାହାର କଲେ ।
ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଛିଗୁଲେଇବାକୁ ଭୁଲି ନଥିଲେ ମୋଦି । ଗତକାଲି କଂଗ୍ରେସର ଜଣେ ନେତା କହିଥିଲେ 6 ମାସ ମଧ୍ୟରେ ମୋଦିଙ୍କ ପିଠିରେ ଠେଙ୍ଗା ମାଡ଼ ହେବ । ଏହି 6 ମାସରେ ଅଧିକ ସୂର୍ଯ୍ୟ ନମସ୍କାର କରି ପିଠିକୁ ମଜଭୁତ କରିବା ସହ ସବୁ ପ୍ରକାର ପ୍ରହାର ସହିବାକୁ ପ୍ରଚେଷ୍ଟା କରିବେ ବୋଲି ମୋଦି କହିଥିଲେ । ଏହାପରେ ରାହୁଲ ଗାନ୍ଧି ଉଠି କିଛି କହିବାକୁ ପ୍ରୟାସ କରିଥିଲେ । ଏହାକୁ ଲକ୍ଷ୍ୟ କରି ମୋଦି କହିଥିଲେ, ‘ମୁଁ 40 ମିନିଟ ହେଲା ଭାଷଣ ଦେଉଛି, କିନ୍ତୁ କିଛି ଲୋକଙ୍କ ପାଖରେ ଏବେ କରେଣ୍ଟ ପହଞ୍ଚିଲା ।’
ଆଜି ସଂସଦରେ ଧନ୍ୟବାଦ ପ୍ରସ୍ତାବ ଉପରେ ମୋଦି ଭାଷଣ ଆରମ୍ଭ କରିବା ପୂର୍ବରୁ ବିଜେପି ସାଂସଦମାନେ ଜୟ ଶ୍ରୀରାମ ନାରା ପକାଇଥିଲେ । ଅନ୍ୟପଟେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମହାତ୍ମା ଗାନ୍ଧୀ ଜିନ୍ଦାବାଦ ନାରା ପକାଇଥିଲେ । ଏହା ଉପରେ ମୋଦି କହିଥିଲେ ବାସ ଏତିକି ? ତାପରେ କଂଗ୍ରେସ ନେତା ଅଧିର ରଞ୍ଜନ କହିଥିଲେ ଏହା ତ ଟ୍ରେଲର ଥିଲା । ମୋଦି ସଂଗେସଂଗେ କହିଥିଲେ ମହାତ୍ମା ଗାନ୍ଧୀ ଆପଣଙ୍କ ପାଇଁ ଟ୍ରେଲର ହୋଇପାରନ୍ତି କିନ୍ତୁ ଆମର ଜୀବନ ।
