ଅର୍ଗସ ବ୍ୟୁରୋ: 2022 ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ । ଏନେଇ ମୋଦି ସରକାରଙ୍କ ପକ୍ଷରୁ ରୋଡ୍ ମ୍ୟାପ୍ ତିଆରି ହୋଇସାରିଛି । କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କହିବାନୁଯାୟୀ ସ୍ୱାମୀନାଥନ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।
ସରକାରଙ୍କ ଦ୍ୱାରା ଫୁଲ, ଫଳ, ବିଭିନ୍ନ ଚାଷ ସମେତ ଜୈବିକ ଚାଷ ପାଇଁ ଜିରୋ ବଜେଟ୍ର ସୁବିଧା ଉପଲବ୍ଧ କରିବାକୁ ଯୋଜନା ଚାଲିଛି । ଶ୍ରୀ ତୋମାର ଏକ ପରିସଂଖ୍ୟନ ଦେଇ କହିଛନ୍ତି 2009ରୁ 2014 ମଧ୍ୟରେ 24.88 କୋଟି ଟନ୍ ଖାଦ୍ୟାନ୍ନର ଉତ୍ପାଦନ ହୋଇଥିବା ବେଳେ 2014ରୁ 19 ମଧ୍ୟରେ ଏହା ବୃଦ୍ଧି ପାଇ 26.97 କୋଟି ଟନ୍ ଉତ୍ପାଦନ ହୋଇଛି । ସେହିପରି ଦଲହନର ଉତ୍ପାଦନ 2009ରୁ 2014 ମଧ୍ୟରେ 175.4 ଲକ୍ଷ ଟନ୍ ରହିଥିଲା । ପରେ 2014-19 ମଧ୍ୟରେ ଏହା ବୃଦ୍ଧି ପାଇ 200 ଲକ୍ଷ ଟନ୍ରେ ପହଞ୍ଚିଥିବା ବେଳେ ଏବେ 218 ଲକ୍ଷ ଟନ୍ରେ ପହଞ୍ଚିଲାଣି ବୋଲି କହିଛନ୍ତି ଶ୍ରୀ ତୋମାର । ତେବେ ମୋଦି ସରକାରଙ୍କ ସମୟରେ ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିବା ସହ ସେମାନଙ୍କ ଆୟ ବୃଦ୍ଧି ପାଇଁ ମଧ୍ୟ ସରକାର ସଦାସର୍ବଦା ଚେଷ୍ଟା ଚଳାଇଛନ୍ତି ।
2016ରେ କୃଷକଙ୍କ ଆମଦାନୀ ଦୁଇଗୁଣ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ପରେ ଏହି କମିଟିର ରିପୋର୍ଟକୁ ଲାଗୁ କରିବା ଏବଂ ଏହା ଉପରେ ନଜର ରଖିବା ପାଇଁ ଏକ ଅଧିକାର ପ୍ରାପ୍ତ ଟିମ୍ ତିଆରି କରାଗଲା । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଥମେ ବିଭିନ୍ନ ସ୍ରୋତର ଚିହ୍ନଟ କରାଯାଇଛି । ଯେଉଁଥିରେ ଫସଲ ଉତ୍ପାଦନରେ ସୁଧାର, ପଶୁଧନ ଉତ୍ପାଦକତାରେ ସୁଧାର, ଫସଲ ଉତ୍ପାଦନରେ ବୃଦ୍ଧି, ଅଧିକ ମୂଲ୍ୟର ଫସଲ ଉତ୍ପାଦନ ଉପରେ ଫୋକସ୍ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । କୃଷକଙ୍କ ଫସଲର ବାସ୍ତବିକ୍ ପ୍ରାପ୍ୟ ସେମାନଙ୍କୁ ଦିଆଯିବା ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି ।
ସ୍ୱାମୀନାଥନ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ସ୍ୱୀକାର ସ୍ୱାମୀନାଥନ ଆୟୋଗ ଦେଇଥିବା 201 ପୃଷ୍ଠା ବିଶିଷ୍ଟ ରିପୋର୍ଟ ମଧ୍ୟରୁ 200 ପୃଷ୍ଠାକୁ ମୋଦି ସରକାର ସ୍ୱୀକାର କରିଛନ୍ତି । ଯେଉଁଥିରେ କୃଷକମାନଙ୍କୁ ସେମାନଙ୍କ ଫସଲର ଦେଢ଼ଗୁଣା ଅଧିକ ପ୍ରାପ୍ୟ ବା ଏମ୍ଏସ୍ପି ବୃଦ୍ଧି କଥା ମଧ୍ୟ ସାମିଲ ଅଛି । ସ୍ୱାମୀନାଥନ୍ଙ୍କ ରିପୋର୍ଟ ଅନୁଯାୟୀ ଦେଢ଼ଗୁଣା ଏମ୍ଏସ୍ପି ଲାଗୁ କରିବା ସବୁଠୁ କାଠିକର ଥିଲା କିନ୍ତୁ ତାହା ମଧ୍ୟ କେନ୍ଦ୍ର ସରକାର ଲାଗୁ କରିଛନ୍ତି । କିଛି ବର୍ଷ ହେଲା ରବି ଏବଂ ଖରିଫ୍ ଋତୁର 22ଟି ଫସଲ ପାଇଁ ଦେଢ଼ ଗୁଣା ଏମ୍ଏସ୍ପି ଲାଗୁ ହୋଇସାରିଛି ।
କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସ୍ୱାମୀନାଥନ ଆୟୋଗଙ୍କ ଚାରୋଟି ରିପୋର୍ଟ ଆସି ସାରିଛି । ସାରାଦେଶର ଚାଷୀଙ୍କ ସମସ୍ୟାର ସମାଧାନ ବାଟ ବାହାର କରିବା ପାଇଁ ଫ୍ରଫେସର ଏମ୍ଏମ୍ ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ 18 ନଭେମ୍ବର 2004ରେ ଏକ କମିଟି ଗଠନ କରାଯାଇଥିଲା । ଯାହାକୁ ସ୍ୱାମୀନାଥନ ଆୟୋଗ କୁହାଯାଉଛି । ଏହି ଆୟୋଗ ଡିସେମ୍ବର 2004, ଅଗଷ୍ଟ 2005, ଡିସେମ୍ବର 2005 ଓ ଏପ୍ରିଲ୍ 2006ରେ ଲଗାତର ଚାରୋଟି ରିପୋର୍ଟ ଦେଇଥିଲେ । ଆଉ ଶେଷରେ ରିପୋର୍ଟ 4 ଅକ୍ଟୋବର 2006ରେ ଦେଇଥିଲେ । ଏହି ରିପୋର୍ଟ ଗୁଡ଼ିକରେ କୃଷକଙ୍କ ଆୟ ବୃଦ୍ଧି କରିବାର କୌଶଳ ଏବଂ ବିଭିନ୍ନ ସମସ୍ୟାର ସମାଧାନ ରାସ୍ତା ଉଲ୍ଲେଖ ରହିଛି ।
ଚାଷ ଦେଶର ଅର୍ଥନୀତିର ମେରୁଦଣ୍ଡ କୃଷୀ ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ । ତେଣୁ ସରକାର ଚାଷୀଙ୍କୁ ସହଯୋଗ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ବା ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କୁ ବାର୍ଷିକ 6000 ଟଙ୍କା ଲେଖାଏଁ ଦିଆଯାଉଛି । ଅନ୍ୟପଟେ 2022 ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ୍ ମୂଲ୍ୟ ଦେବା ଉପରେ ଲକ୍ଷ ରଖାଯାଇଛି । ଖାଲି ସେତିକି ନୁହେଁ ଚାଷୀ କିଭଳି ସେମାନଙ୍କ ଉତ୍ପାଦନ ବୃଦ୍ଧି କରିପାରିବେ ସେନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରଯାଉଛି ।
ମନ୍ତ୍ରୀ ଶ୍ରୀ ତୋମାର ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ବା ମନରେଗାର 260ଟି ସ୍କିମ୍ ମଧ୍ୟରୁ 164ଟି ସ୍କିମ୍ କୃଷି ଉପରେ ଆଧାରିତ । ତେଣୁ ମନରେଗା ପାଇଁ 2019-20 ବଜେଟ୍ରେ 60,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
