ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଅନୁଦାନ ଦେଲେ କେନ୍ଦ୍ର ସରକାର । ନବଗଠିତ ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମନ୍ଦିର ନିର୍ମାଣ ପାଇଁ ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟଙ୍କା ପ୍ରଦାନ କରାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ କହିଥିଲେ । ଏହା ପରେ ଏହାକୁ ମଞ୍ଜୁରୀ ମଧ୍ୟ ମିଳିଥିଲା । ତେବେ ଟ୍ରଷ୍ଟ ଗଠନ ହେବା ପରେ ପ୍ରଥମ ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ସଚିବ ଡି. ମୁର୍ମୁ ସରକାରଙ୍କ ତରଫରୁ ଏହି ଦାନ କରିଛନ୍ତି ।
ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ଯେକୌଣସି ନିଷ୍ପତ୍ତି ନେବାର ଅଧିକାର ଏହି ଟ୍ରଷ୍ଟର ରହିଛି । ଏଥିରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ବୋଲି କହିଛନ୍ତି ମୋଦି । ତେବେ ମନ୍ଦିର ପାଇଁ ଆଜିଠୁ ଟ୍ରଷ୍ଟକୁ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଟ୍ରଷ୍ଟ ବିନା କୌଣସି ସର୍ତ୍ତରେ ଦାନ, ଅନୁଦାନ, ଚାନ୍ଦା, ସହାୟତା, ନଗଦ ଟଙ୍କା କିମ୍ବା ଅସ୍ଥାବର ସମ୍ପତ୍ତି ଦାନ ଆକାରରେ ଗ୍ରହଣ କରିପାରିବ ବୋଲି କୁହାଯାଇଛି ।
ଅଯୋଧ୍ୟା ବିବାଦ ମାମଲାରେ ହିନ୍ଦୁ ପକ୍ଷର ମୁଖ୍ୟ ଓକିଲ ଥିବା ୯୨ ବର୍ଷୀୟ ପରାସରନଙ୍କୁ ରାମମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ରଖାଯାଇଛି । ଏହି ଟ୍ରଷ୍ଟରେ ପରାସରନଙ୍କ ବ୍ୟତୀତ ଜଣେ ଶଙ୍କରାଚାର୍ଯ୍ୟଙ୍କ ସମେତ ୫ ସଦସ୍ୟ ଧର୍ମଗୁରୁ ଟ୍ରଷ୍ଟରେ ସାମିଲ ଅଛନ୍ତି । ଏହା ସହିତ ଅଯୋଧ୍ୟା ରାଜ ପରିବାରର ରାଜା ବିମଳେନ୍ଦ୍ର ପ୍ରତାପ ମିଶ୍ରା, ଅଯୋଧ୍ୟାର ହୋମିଓପାଥି ଡାକ୍ତର ଅନିଲ ମିଶ୍ରା ଏବଂ ଜିଲାପାଳ ମଧ୍ୟ ଟ୍ରଷ୍ଟି ରହିବେ ବୋଲି ସ୍ଥିର ହୋଇଛି ।
୩୦ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରର ଅନୁମତି କ୍ରମେ ୧୯୮୯ ନଭେମ୍ବର ୯ରେ ପ୍ରସ୍ତାବିତ ରାମ ମନ୍ଦିରର ଭିତ୍ତପ୍ରସ୍ତର ପଡ଼ିଥିଲା । ଶିଳାନ୍ୟାସ ପାଇଁ ବିଶ୍ଵ ହିନ୍ଦୁ ପରିଷଦର ତତ୍କାଳୀନ ଯୁଗ୍ମ ସଚିବ କାମେଶ୍ଵର ଚୌପାଲ ପ୍ରଥମ ଇଟା ପକାଇଥିଲେ । ଚୌପାଲଙ୍କ ଘର ବିହାରରେ ଏବଂ ସେ ଦଳିତ ସମ୍ପ୍ରଦାୟର ଥିଲେ ।
