ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୨୦୨୦ରେ ନିର୍ଦ୍ଧାରିତ ନୂଆ ନିର୍ଦ୍ଦେଶାବଳୀରେ ରାଜ୍ୟଗୁଡିକୁ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି ବା ଏସଟିଏସି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଓଡ଼ିଶା ସରକାର ଦୀର୍ଘ ଦୁଇ ବର୍ଷ ମଧ୍ୟ ରେ ଏହି କମିଟି ଗଠନ କରିନାହାନ୍ତି । ଓଡ଼ିଶା ସରକାର ପ୍ରସଙ୍ଗଗୁଡିକୁ କେନ୍ଦ୍ର ସରକାରକୁ ଜଣାଇଥିବା ବେଳେ କେନ୍ଦ୍ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । 19ରୁ 22 ସେପ୍ଟେମ୍ବର ମଧ୍ୟରେ ବୀମା କମ୍ପାନୀ ଦ୍ବାରା ଏସଟିଏସି ଆଦେଶ ବିରୋଧରେ ଆବେଦନ ଗ୍ରହଣ ହେବା ମାତ୍ରେ ଭାରତ ସରକାର ଟିଏସି ସମ୍ମୁଖରେ ଏହି ମାମଲା ରଖିଥିଲେ । 30 ସେପ୍ଟେମ୍ବର 2022 ରେ ଟିଏସି ବୈଠକ ରେ ଏଗୁଡିକୁ ମଧ୍ୟ ବିଚାର କରାଯାଇଥିଲା । ସମୁଦାୟ 225 ଟି ମାମଲା ମଧ୍ୟରୁ, ବୀମା କମ୍ପାନୀଗୁଡିକ ଦ୍ବାରା କେବଳ 189 ମାମଲାରେ ଆବେଦନ ଦାଖଲ କରାଯାଇଛି ।
ଓଡ଼ିଶା ସରକାର ଯେଉଁ ମାମଲା ଗୁଡିକୁ ରାଜ୍ୟ ସ୍ତରୀୟ କମିଟି ଦ୍ବାରା ନିର୍ଦ୍ଧାରିତ କରିପାରିଥାନ୍ତେ ତାହାକୁ ନିଜେ ସମାଧାନ ନକରି କିମ୍ବା ବୀମା କମ୍ପାନୀ ସହ ଆଲୋଚନା ନ କରି କେନ୍ଦ୍ର ସରକାରକୁ ପଠାଉଥିବା ମନେ ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଫସଲ ବୀମା ଅବହେଳା ନେଇ ବିଜେଡି ଗତକାଲି ବିକ୍ଷୋଭ କରିବା ପରେ ଆଜି ଦୁଇ ବିଜେପି ବିଧାୟକ କୁସୁମ ଟେଟେ, ନାଉରୀ ନାୟକଙ୍କ ସହ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଫସଲ ବୀମା ଯୋଜନାର ସିଇଓ ରିତେଶ ଚୌହାନଙ୍କୁ ଭେଟିଥିଲେ । ଏବେ କେନ୍ଦ୍ର୍ ସରକାରଙ୍କ ଚିଠି ରାଜ୍ୟ ସରକାରଙ୍କ ସତକୁ ସାମ୍ନାକୁ ଆଣିଛି ।
ସେପଟେ ଫସଲ ବୀମା ମିଳୁ ନ ଥିବାରୁ ଚାଷୀଙ୍କ ରାଗ ପଞ୍ଚମକୁ ଉଠିଗଲାଣି । ପ୍ରଧାମନ୍ତ୍ରୀ ଫସଲ ବୀମା ପ୍ରଦାନକୁ ନେଇ ଆଜି ବରଗଡ଼ ପଦ୍ମପୁରରେ ଅନୁଷ୍ଠିତ ହୋଇଛି ଚାଷୀ ସମାବେଶ । ଗତ ଖରିଫ ଋତୁର ବୀମା ଏଯାଏଁ ମିଳି ନ ଥିବା ଅଭିଯୋଗ କରି ୧୦ରୁ ୧୫ ହଜାର ଚାଷୀ ଆଜି ଏକାଠି ହୋଇଛନ୍ତି । ସହର ପରିକ୍ରମା କରି ତାଉ ଦେଖାଇବା ସହ ଭୋଟ୍ ବର୍ଜନର ଖୋଲା ଧମକ ଦେଇଛନ୍ତି ।