ଗରିବ ଲୋକଙ୍କୁ ପୂର୍ବଭଳି ମାଗଣା ରାସନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି।ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମାଗଣା ରାସନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଡିସେମ୍ୱର ୨୦୨୨ ଯାଏ ବୃଦ୍ଧି କରିଛି। ମହାମାରୀ କରୋନାର ପ୍ରଭାବ କମି ଯାଇଥିଲେ ମଧ୍ୟ ଯୋଜନାର ଅବଧିକୁ ବଢ଼ାଯାଇଛି। ଏଥିରୁ ମୋଦି ସରକାର ଗରିବଙ୍କ ପାଇଁ କେତେ ସମ୍ବେଦନଶୀଳ ଓ ଯତ୍ନବାନ ଏଥିରୁ ସ୍ପଷ୍ଟ ହୋଇଥିବା ଗୋଏଲ କହିଛନ୍ତି।
ମହାମାରୀ କରୋନା ବେଳ ଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସରକାର ଏହି ଯୋଜନାରେ ୧୦୦୩ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୩.୪ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ହେବ। କରୋନା ବେଳେ ଦେଶରେ ଲକଡାଉନ ହୋଇଯିବାରୁ ୮୦ କୋଟି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ମୋଦି ସରକାର ୨୦୨୦ ମାର୍ଚ୍ଚରୁ ଏହ ଯୋଜନା ଲାଗୁ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି। ଏବେ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।