ଅର୍ଗସ ବ୍ୟୁରୋ : ରାଜ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏମିତିକି କେନ୍ଦ୍ରର ଅନେକ ଲୋକାଭିମୁଖୀ ଯୋଜନାକୁ ଏଡ଼ାଇ ନିଜର ସ୍ବତନ୍ତ୍ର ଯୋଜନା ଚଲାଉଛନ୍ତି । ହେଲେ ଏତେ ସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାରେ ଫେଲ୍ ମାରିଛନ୍ତି ସରକାର । ରାଜ୍ୟରେ ଶିଶୁ ମୃତ୍ୟୁ ରୋକିବାରେ ଫେଲ୍ ମାରିଛି ସ୍ବାସ୍ଥ୍ୟ ବିଭାଗ । କଟକ ମହାନଗର ନିଗମ ଅଧୀନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ୟ ଅନୁଯାୟୀ ମାତ୍ର ୨୦ ମାସରେ ଗଲାଣି ୩ ହଜାର ଶିଶୁଙ୍କ ଜୀବନ । ୨୦୨୨ ରୁ ୨୦୨୩ ଗୋଟିଏ ବର୍ଷ ମଧ୍ୟରେ ୩୪୮୭ ଜଣ ଶିଶୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସୁବିଧାର ବଞ୍ଚିତ ହୋଇ ଜୀବନ ହାରିଛନ୍ତି । ଅର୍ଥାତ ପ୍ରତିଦିନ ୫ ରୁ ୬ ଜଣ ଶିଶୁଙ୍କ ଜୀବନ ଯାଉଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି କଟକ ନଗର ମହିଳା ମୋର୍ଚ୍ଚା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶିଶୁ ମୃତ୍ୟୁର କାରଣ ଏବଂ ଏହାକୁ ରୋକିବା ପାଇଁ ଶିଶୁ ଭବନ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବି ପତ୍ର ଦେଇଛନ୍ତି । ଏଥି ସହ ଯଦି ଆଗାମୀ ଦିନରେ ଶିଶୁ ମୃତ୍ୟୁ ହାର କମ କରିବାରେ ରାଜ୍ୟ ସରକାର ସଫଲ ନହୁଅନ୍ତି ତେବେ ବିଜେପି ରାସ୍ତାକୁ ଓହ୍ଲାଇ ଏହାର ଜବାବ ମାଗିବ ବୋଲି ଚେତାବନୀ ଦେଇଛନ୍ତି । ଗୋଟଏ ପଟେ ରାଜ୍ୟରେ କମୁନି ଶିଶୁ ମୃତ୍ୟୁ ହାର ସେଇଠି ରାଜ୍ୟର ଏକ ମାତ୍ର ପ୍ରମୁଖ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁ ଭବନର ଅବହେଳିତ ଚିତ୍ର ସାମ୍ନାକୁ ଆସିଛି । ଚିକିତ୍ସା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଶିଶୁ ଆସୁଥିବା ବେଳେ ପାଇପାରୁନାହାନ୍ତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ।
ଶିଶୁଭବନରେ ମାତ୍ର ୪୧୨ଟି ବେଡ଼ ରହିଛି । ସେହିପରି icu ସହ SNCUର ବେଡ଼ ମଧ୍ୟ ଯଥେଷ୍ଟ କମ ରହିଛି । ଏପଟେ ମାସେରୁ ଅଧିକ ସମୟ ହେଲାଣି ଶିଶୁ ଭବନର ଜି୭ ବିଲ୍ଡିଂ କାମ ହୋଇସାରିଥିଲେ ବି ଲୋକାପର୍ଣ ହୋଇପାରୁନି । ଆବଶ୍ୟକୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀ ଓ ମେଡ଼ିକାଲ ଉପକରଣ ନଥିବାରୁ ଏହି ବିଲ୍ଡିଂର ଲୋକାର୍ପଣ ହୋଇ ପାରୁନାହିଁ । ମହାନଗରନିଗମ ତଥ୍ୟ ଅନୁଯାୟୀ ୨୦୨୨ ଜାନୁଆରୀରୁ ଡିସେମ୍ବର ଭିତରେ ୨୩୬୯ ଶିଶୁଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ୨୦୨୩ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ୧୧୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ କେବଳ ୧୫୬ ଶିଶୁ ପ୍ରାଣ ହରାଇଥିବା ବେଳେ ଅଗଷ୍ଟରେ ଏହା ୧୬୨ରେ ପହଁଞ୍ଚିଛି ।