ଇଂରେଜ ମାନେ ସେମାନଙ୍କର ଔପନିବେଶିକ ସ୍ୱାର୍ଥର ପୂର୍ତି କରିବାକୁ ଓ ସେମାନଙ୍କର ଶାସନକୁ ଦୀର୍ଘ ସ୍ଥାୟୀ କରିବାକୁ ଶିକ୍ଷା, ଇତିହାସ ଏପରିକି ପ୍ରତ୍ନତତ୍ୱକୁ ବ୍ୟବହାର କରିଥିଲେ । ଇଂରେଜ ମାନେ ବିଶେଷ ଭାବେ ଇତିହାସ ଓ ପ୍ରତ୍ନତତ୍ୱର ବ୍ୟବହାର ସତ୍ୟ ଜଣାଇବାକୁ କରୁ ନ ଥିଲେ ବରଂ ସେମାନେ ଏଗୁଡିକର ବ୍ୟବହାର ଭାରତର ଜନ ମାନସରେ ହଜାର ହଜାର ବର୍ଷ ଧରି ଅଂକିତ ଥିବା ତଥ୍ୟକୁ ଭୁଲ ବୋଲି ପ୍ରମାଣିତ କରିବାକୁ କରି ଆସିଥିଲେ । ଏପରି କରିବା ପଛରେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ମାନଙ୍କ ମନରେ ହୀନମନ୍ୟନତାର ଭାବନା ସୃଷ୍ଟି କରିବା । ଯେଉଁ ଜାତି ମନରେ ହୀନମନ୍ୟତାର ଭାବନା ସୃଷ୍ଟି ହୋଇ ଯାଏ, ଯେଉଁ ଜାତି ଆତ୍ମହୀନତାର ଶୀକାର ହୋଇ ଯାଏ ତା ଉପରେ ଶାସନ କରିବା ଖୁବ ସହଜ ହୋଇଥାଏ । ଯେଉଁ ଜାତି ତାର ଇତିହାସରୁ ପ୍ରେରଣା ଲାଭ କରେ ଓ ଭୁଲରୁ ଶିକ୍ଷା ଗ୍ରହଣ କରିଥାଏ ସେହି ଜାତି ଉପରେ ଦୀର୍ଘ ସମୟ ଧରି ଶାସନ କରିବା ସମ୍ଭବ ହୋଇ ନ ଥାଏ । ଗୋରା ଇଂରେଜ ଧୁର୍ତ ମାନେ ଏହାକୁ ଭଲ ଭାବେ ଜାଣିଥିଲେ ।
ଏହି କାରଣରୁ ଇଂରେଜ ମାନେ ଭାରତରେ ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତ, ରାମାୟଣ- ମହାଭାରତ ଆଦି ଭାରତର ଇତିହାସ ନୁହେଁ ବରଂ ଏହାକୁ ମାଇଥୋଲୋଜି ବୋଲି ପ୍ରଚାରିତ କରି ଆସୁଥିଲେ । ଭାରତ ସ୍ୱାଧୀନ ହେବା ପରେ ଏହି ଦୃଷ୍ଟି ବଦଳି ଯିବାର ଆବଶ୍ୟକତା ଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଭାରତ ସରକାର ଓ ଭାରତ ସରକାରଙ୍କ ଦ୍ବାରା ଗଠିତ ସଂସ୍ଥା ମାନଙ୍କରେ ଏଥିରେ କୌଣସି ପ୍ରକାର ପରିବର୍ତନ ଆସି ନଥିଲା । ସେମାନେ ଏଥିରେ ଭାରତୀୟ ଦୃଷ୍ଟିକୋଣ ଆଣିବା ପରିବର୍ତେ ମଧ୍ୟ ଇଂରେଜ ମାନଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଔପନିବେଶିକ ନ୍ୟାରେଟିଭକୁ ହିଁ ଆଗକୁ ବଢାଇଥିଲେ । ଏହି ସଂସ୍ଥା ମାନଙ୍କରେ ବାମପନ୍ଥୀ ମାନଙ୍କ ପ୍ରବେଶ କାରଣରୁ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ସ୍କୁଲର ପାଠ୍ୟକ୍ରମରେ ଆର୍ଯ୍ୟ ମାନେ ବାହାରୁ ଆସିଥିଲେ ଭଳି ମିଥ୍ୟା ସିଦ୍ଧାନ୍ତ ଗୁଡିକୁ ପଢା ହୋଇ ଆସୁଥିଲା ।
ହେଲେ ପ୍ରସିଦ୍ଧ ପ୍ରତ୍ନତତ୍ୱବିତ ପ୍ରଫେସର ବି.ବି ଲାଲ ଜଣେ ଏପରି ସତ୍ୟର ସାଧକ ଥିଲେ ଯିଏ ଏହି ସମସ୍ତ ବାମପନ୍ଥୀ ଓ ଔପନିବେଶିକ ଥ୍ୟୋରୀ ଗୁଡିକୁ ନିଜର ବୈଜ୍ଞାନିକ ପ୍ରତ୍ନତାତ୍ୱିକ ଅନୁସନ୍ଧାନ ଆଧାରରେ ଧରାଶାୟୀ କରିଥିଲେ । ସେ ତାଙ୍କର ଅନେକ ଦଶନ୍ଧି ଧରି ପ୍ରତ୍ନତାତ୍ୱିକ କାମରେ ଅନେକ ଗୁରୁତ୍ୱପୂର୍ଣ କାମ କରିିଥିଲେ । ଏହା ମଧ୍ୟରୁ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ କାମ ହେଲା ଯେ ସେ ଅଯୋଧ୍ୟାରେ ବାବରୀ ଢାଂଚା ତଳେ ମନ୍ଦିର ଥିବା କଥା କହିଥିଲେ । ଏହା ଫଳରେ ବାମପନ୍ଥୀ ତଥା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଐତିହାସିକ ମାନଙ୍କ ଠାରୁ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ଇତିହାସ କ୍ଷେତ୍ରରେ ଏହି ବାମପନ୍ଥୀ ଐତିହାସିକ ମାନଙ୍କର ପ୍ରଭାବ ଖୁବ ଅଧିକ ରହି ଆସିଛି । ସେମାନେ ସରକାର ଓ ଶାସନର ସଂରକ୍ଷଣରେ କଳାକୁ ଧଳା କରିବା ଓ ଧଳାକୁ କଳା କରିବା କାମ ଲଗାତାର ଭାବେ କରି ଆସିଛନ୍ତି । ସେମାନେ ଭାରତର ରାଜା ସେମାନଙ୍କର ଶାସନ ବ୍ୟବସ୍ଥା ସେମାନଙ୍କ ସମୟର ସମାଜ ବ୍ୟବସ୍ଥାକୁ ‘ଜହାଲତରେ ପରିପୂର୍ଣ’ ବୋଲି ଘୋଷଣା କରିବା ସହ ମଧ୍ୟ ଏସିଆରୁ ଆସିଥିବା ଆକ୍ରମଣକାରୀ ମାନେ କିପରି ଶ୍ରେଷ୍ଠ ଥିଲେ ତାହା ଲେଖି ଭାରତର ଜନମାନସକୁ ଭ୍ରମିତ କରିବାର କାମ କରି ଆସିଛନ୍ତି । ତାଙ୍କ ଦ୍ୱାରା ଦିଆ ଯାଇଥିବା ଥ୍ୟୋରୀ ବିରୁଦ୍ଧରେ ଯଦି କେହି ଗଲା ତେବେ ଏକାଦେମିକ କ୍ଷେତ୍ରରେ ତାଙ୍କୁ ସମାପ୍ତ କରି ଥାନ୍ତି ।
ତେଣୁ ପ୍ରଫେସର ବି. ବି. ଲାଲ ତାଙ୍କ ଟାର୍ଗେଟରେ ରହିବା ସ୍ୱାଭବିକ ଥିଲା । ଏହା ସତ୍ୱେ ପ୍ରଫେସର ବି. ବି. ଲାଲ କେବେ ହେଲେ ସତ୍ୟରୁ ବିଚ୍ୟୁତ ହୋଇ ନଥିଲେ । ପ୍ରଫେସର ବି.ବି. ଲାଲ ଅନେକ ମହାଭାରତ ସହ ଜଡିତ ସ୍ଥଳର ଉତ୍ଖନନ କାମ କରିଥିଲେ । ସେ ୧୯୭୫ ମସିହାରେ ଆର୍କିଓଲଜି ଅଫ ଦି ରାମାୟଣ ସାଇଟ୍ସ ନାମରେ ଏକ ପ୍ରକଳ୍ପ କାମ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପରେ ସେ ରାମାୟଣ ସହ ଜଡିତ ବିଭିନ୍ନ ସ୍ଥାନ ଅଯୋଧ୍ୟା, ଭାରଦ୍ୱାଜ ଆଶ୍ରମ, ନନ୍ଦୀଗ୍ରାମ, ଚିତ୍ରକୂଟରେ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ ।
ରାମ ଜନ୍ମଭୂମି ସ୍ଥଳରେ ଉତ୍ଖନନ ବେଳେ ଏହି ଟିମରେ ସାମିଲ ଥିବା (ସେତେବେଳେ ଯୁବାବସ୍ଥାରେ ଥିବା) କେ. କେ ମୋହମ୍ମଦ ତାଙ୍କର ଗୁରୁ ଅର୍ଥାତ ବି. ବି. ଲାଲଙ୍କ ସମ୍ପର୍କରେ ଏକ ଲେଖା ଲେଖିଛନ୍ତି । ସେ କହିଛନ୍ତି ଯେ ଜନ୍ମଭୂମି ସ୍ଥଳରେ ପୂର୍ବରୁ ସେଠାରେ ମନ୍ଦିର ରହିଥିବାର ସ୍ପଷ୍ଟ ପ୍ରମାଣ ମିଳିଥିଲା । ହେଲେ ମାର୍କସବାଦୀ ଐତିହାସିକ ମାନେ ଅଯୋଧ୍ୟା ଉତଖନନ ଓ ବିଶେଷ ଭାବେ ଏହାର ନେତୃତ୍ୱ ନେଇଥିବା ପ୍ରଫେସର ବି. ବି. ଲାଲଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । କେ.କେ ମୋହମ୍ମଦଙ୍କ କହିବା କଥା ହେଲା ଯେ ଯେଉଁ ଲୋକ ମାନେ ପ୍ରଫେସର ଲାଲଙ୍କ ଉପରେ ଆକ୍ରମଣ କରୁଥିଲେ ସେମାନେ ଐତିହାସିକ ଥିଲେ, ପ୍ରତ୍ନତତ୍ୱ ବିଷୟରେ କହିବାର ସେମାନେ ଅଧିକାରୀ ନ ଥିଲେ । ସେମାନଙ୍କୁ ପ୍ରତ୍ନତତ୍ୱରେ ବ୍ୟବହାର ହେଉଥିବା ଟେକ୍ନିକ ଓ ଅନ୍ୟ ବିଷୟ ଜଣା ନ ଥିଲା । ଏହା ସତ୍ୱେ ଏହି ମାର୍କ୍ସବାଦୀ ଐତିହାସିକ ମାନେ ପ୍ରଫେସର ଲାଲଙ୍କ ବିରୁଦ୍ଧରେ ଗଣମାଧ୍ୟମରେ ଆକ୍ରମଣ ଜାରୀ ରଖିଥିଲେ ।
କେ.କେ ମୋହମ୍ମଦଙ୍କ କହିବା କଥା ଯେ ଏହା ପରେ ଏଏସଆଇ ଓ ପ୍ରଫେସର ବି.ବି. ଲାଲଙ୍କ ଉପରେ କମ୍ୟୁନିଷ୍ଟ ମାନଙ୍କର ଆକ୍ରମଣ ନ କମିବା କାରଣରୁ ସେ ଗଣମାଧ୍ୟମରେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ସ୍ଥିର କଲେ । ସେ ୧୯୯୦ ମସିହା ଡିସେମ୍ବର ୧୫ ତାରିଖ ଦିନ ଏକ ଇଂରାଜୀ ସମ୍ବାଦପତ୍ରରେ ପତ୍ରରେ ଏକ ଲେଖା ଲେଖି କହିଲେ ଯେ ସେ ନିଜେ ଜଣେ ମୁସଲମାନ । ସେ ଖନନକାରୀ ଦଳର ଜଣେ ସଦସ୍ୟ ଥିଲେ । ବିବାଦୀୟ ଢାଂଚା ତଳେ ମନ୍ଦିରର ଭଗ୍ନାବଶେଷ ରହିଛି । ଅଯୋଧ୍ୟା ହିନ୍ଦୁ ମାନଙ୍କର ପବିତ୍ର ସ୍ଥଳ ହୋଇଥିବା କାରଣରୁ ମୁସଲମାନ ମାନଙ୍କୁ ସ୍ୱେଚ୍ଛାରେ ରାମ ଜନ୍ମଭୂମିକୁ ଦେଇଦେବା ଉଚିତ । ଡ. କେ.କେ ମୋହମ୍ମଦ ଆଗକୁ ଲେଖିଲେ ଯେ ଏହା ପରେ ମାର୍କ୍ସବାଦୀ ଓ ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଐତିହାସିକ ମାନେ ତାଙ୍କ ପ୍ରତି ରକ୍ତମୁଖା ହୋଇ ପଡିଥିଲେ ।
କେ.କେ ମୋହମ୍ମଦଙ୍କ ଏହି ଲେଖା ଉପରେ କମ୍ୟୁନିଷ୍ଟ ଐତିହାସିକ ମାନେ ଯେଭଳି ପ୍ରତିକ୍ରିୟା ଦେଇଥିଲେ ସେଥିରୁ ବାମପନ୍ଥୀ ଐତିହାସିକ ମାନେ ପ୍ରଫେସର ବି.ବି. ଲାଲଙ୍କ ପ୍ରତି କେତେ କ୍ରୋଧ ଥିଲା ତାହା ଅନୁମାନ କରା ଯାଇ ପାରେ । ଏହା ସତ୍ୱେ ପ୍ରଫେସର ବି. ବି. ଲାଲ ତାଙ୍କର କାମ ଜାରୀ ରଖିଥିଲେ । ସମାଲୋଚନା ତାଙ୍କୁ ତାଙ୍କ କାମରୁ ଦୂର କରି ପାରି ନ ଥିଲା । ଅଯୋଧ୍ୟା ମାମଲାର ଯେତେବେଳେ ସୁପ୍ରିମ କୋର୍ଟର ରାୟ ଆସିଲା ସେତେବେଳେ ସେ ଏହାର ପ୍ରତିକ୍ରିୟାରେ କହିଲେ ‘ଏଏସଆଇର ନିଷ୍କର୍ଶ ଗୁଡିକ ସୁପ୍ରିମକୋର୍ଟ ନୋଟିସରେ ନେଇଥିବାରୁ ମୁଁ ଅତ୍ୟନ୍ତ ଖୁସୀ'
ଏ ସମ୍ପର୍କରେ ତାଙ୍କର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଓ ଉପାଦେୟ ପୁସ୍ତକ ‘ରାମ, ହିଜ ହିଷ୍ଟରିସିଟି, ମନ୍ଦିର ଏଣ୍ଡ ସେତୁ : ଏଭିଡେନ୍ସ ଅଫ ଲିଟରେଚର, ଆର୍କିଓଲଜି ଏଣ୍ଡ ଅଦର ସାଇନ୍ସେସ ’ ରହିଛି । ପ୍ରଫେସର ବି.ବି ଲାଲ କେବଳ ରାମାୟଣ ସ୍ଥଳ ଉପରେ କାମ କରି ନାହାନ୍ତି । ସେ ମହାଭାରତ ସ୍ଥଳ ଗୁଡିକ ଉପରେ ମଧ୍ୟ ଦୀର୍ଘ ଦିନ ଧରି କାମ କରିଥିଲେ ।
ପ୍ରଫେସର ବି.ବି. ଲାଲ ଜଣେ ସତ୍ୟାନ୍ୱେଷୀ ଭାବେ ତାଙ୍କର କାମ କରିଥିଲେ । ସେ ମହାଭାରତ ସହ ଜଡିତ ଅନେକ ସ୍ଥାନ ଯେପରି ମେରଠ ନିକଟରେ ହସ୍ତିନାପୁର, ମଥୁରା ଓ କୁରୁକ୍ଷେତ୍ର ଆଦି ସ୍ଥାନରେ ତଥା ଇନ୍ଦ୍ରପ୍ରସ୍ଥ ଆଦି ସ୍ଥାନରେ ପ୍ରତ୍ନତାତ୍ୱିକ ପ୍ରକଳ୍ପରେ କାମ କରିଥିଲେ । ବାମପନ୍ଥୀ ମାନେ ମହାଭାରତକୁ କେବଳ କପୋଳ କଳ୍ପନା କହୁଥିବା ବେଳେ ପ୍ରଫେସର ଲାଲ ମହାଭାରତର ଐତିହାସିକତାକୁ ପ୍ରମାଣିତ କରି ବାମପନ୍ଥୀ ଐତିହାସିକ ମାନଙ୍କ ଗାଲରେ ଶକ୍ତ ଚାପୁଡା ଲଗାଇଥିଲେ ।
କେବଳ ସେତିକି ନୁହେଁ ପ୍ରଫେସର ଲାଲ ବ୍ରିଟିଶ ମାନଙ୍କ ଦ୍ୱାରା ଓ ପରେ ମାର୍କ୍ସବାଦୀ ମାନଙ୍କ ଦ୍ୱାରା ବହୁଳ ଭାବେ ପ୍ରଚାରିତ ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତକୁ ଅତ୍ୟନ୍ତ ତାର୍କିକ ଭାବେ ଖଣ୍ଡନ କରିଥିଲେ । ତାଙ୍କର ଏ ସମ୍ପର୍କିତ ପୁସ୍ତକ ‘ଦି ସରସ୍ୱତୀ ଫ୍ଲଜ ଅନ’ । ଏହି ପୁ୍ସ୍ତକ ଜରିଆରେ ସେ ମାର୍କସବାଦୀ ଐତିହାସିକ ଆରଏସ ଶର୍ମାଙ୍କ ଦ୍ୱାରା ଦିଆ ଯାଇଥିବା ତର୍କକୁ ଖଣ୍ଡନ କରିଥିଲେ । ଏହାକୁ ନେଇ ମଧ୍ୟ ସେ ମାର୍କସବାଦୀ ମାନଙ୍କ ଦ୍ୱାରା ପ୍ରବଳ ଆକ୍ରମଣ ଓ ସମାଲୋଚନାର ଶୀକାର ହୋଇଥିଲେ । ଏହା ସତ୍ୱେ ପ୍ରଫେସର ଲାଲ କେବେ ହେଲେ ସତ୍ୟର ଅନ୍ୱେଷଣରୁ ନିଜକୁ ବିଚ୍ୟୁତ କରି ନ ଥିଲେ ।
ଜୀବନ ବ୍ୟାପୀ ସତ୍ୟର ସାଧନା କରିଥିଲେ ପ୍ରଫେସର ଲାଲ । ସେ ଔପନିବେଶିକବାଦୀ ଢାଂଚାକୁ ଭାଙ୍ଗିବା ସହ ଭାରତୀୟ ଢାଂଚା ତିଆରି କରିବାକୁ ତାଙ୍କର ସମ୍ପୂର୍ଣ ଜୀବନ ଲଗାଇ ଦେଇଥିଲେ । ଏଭଳି ଜଣେ ଭାରତୀୟତାର ନୀରବ ସାଧକଙ୍କୁ ଶତ ଶତ ପ୍ରଣାମ ।
ଭାରତ ଖବର ଆହୁରି ପଢ଼ନ୍ତୁ ।