ନୂଆଦିଲ୍ଲୀ: ପୁଲଓ୍ୱାମା ହମ୍ଲା ପରେ ସାରା ଦେଶ ଆଜି ସ୍ତବ୍ଧ ହୋଇପଡ଼ିଛି । ସାରା ଦେଶ ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଯୁବଗୋଷ୍ଠି ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ର ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରି କେନ୍ଦ୍ର ସରକାରଙ୍କୁ ନିକଟରେ ଏହି ବର୍ତ୍ତା ପହଞ୍ଚାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିସାରିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତିକି ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ଶିକାର ପାଇଁ ପୁର୍ଣ୍ଣ କ୍ଷମତା ଦିଆଯାଇଛି । ଯେକୌଣସି ପରିସ୍ଥିତିରେ ସେନା ନିଜେ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।
ସେପଟେ ଏହି ହମ୍ଲା ପରେ ଏହାର ପ୍ରତିବାଦ ସ୍ୱରୁପ ଆସନ୍ତା 18 ତାରିଖରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦେଶରେ ସବୁ ବ୍ୟବସାୟିକ ସଂଗଠନକୁ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ତେବେ ଏହି ବନ୍ଦ ପାଇଁ ଆହ୍ୱାନ କରିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି ।
ଅନ୍ୟପଟେ ସାରା ଦେଶରେ ଏହି ହମ୍ଲା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ପକ୍ଷରୁ ସହିଦଙ୍କ ଅମର ଆତ୍ମାର ସଦ୍ଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।
