ସହକାରୀ ସବ୍-ଇନ୍ସପେକ୍ଟର ଭୂପିନ୍ଦର ସିଂ । ଅମୃତସରରେ ପୁଲିସ ଚାକିରି କରୁଥିଲେ। ପତ୍ନୀ ବଲଜିତ କୌର ଏବଂ ତାଙ୍କ ପୁଅ ଲଭପ୍ରୀତ ସିଂଙ୍କୁ ସକାଳ ପ୍ରାୟ ୧୦ଟାରେ ସେ ଗୁଳିକରି ହତ୍ୟା କରିଛନ୍ତି। କାରଣ ସମ୍ପର୍କରେ ସ୍ଥାନୀୟ ପୁଲିସ ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ପୁଲିସ କର୍ମଚାରୀ ଜଣକ ପତ୍ନୀ ଓ ପୁଅଙ୍କୁ ମାରିବା ପରେ ପୋଷା କୁକୁରଟାକୁ ବି ଗୁଳିକରି ହତ୍ୟା କରିଛନ୍ତି।
ନିକଟରେ ଭୁପିନ୍ଦର ନିଜ ଗାଁ ଭୁମ୍ବଲିକୁ ଆସିଥିଲେ। ଆଉ ସାଥିରେ ଆଣିଥିଲେ, ନିଜର ସର୍ଭିସ୍ ରିଭରବର। କୌଣସି କାରଣରୁ ଘରେ ପତ୍ନୀ ଓ ପୁଅଙ୍କ ସହଂ ତର୍କ ହେବାରୁ ଉତ୍ୟକ୍ତ ହୋଇପଡିଥିଲେ ଭୁପିନ୍ଦର। ନିଜର ହିତାହିତ ଜ୍ଞାନ ହରାଇ ନିଜ ଜନ୍ମକଲା ପୁଅ ଆଉ ବିବାହିତା ସ୍ତ୍ରୀଙ୍କୁ ଗୁଳି ମାରିଥିଲେ। ପାଖରେ ଥିବା କୁକୁର ଭୁକିବାକୁ ଲାଗିଲା। ଯାହାକୁ ଦେଖି ଅସହ୍ୟ ହୋଇପଡିଲେ ଭୁପିନ୍ଦର। ଆଉ ତାକୁ ମଧ୍ୟ ଗୁଳିକରି ହତ୍ୟା କରିବାକୁ ପଛେଇ ନ ଥିଲେ।
ହତ୍ୟାକାଣ୍ଡ ଘଟାଇବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ରକ୍ତ ଜୁଡୁବୁଡୁ ମୃତଦେହଗୁଡିକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଭୁପିନ୍ଦର ଫେରା ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।