
ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନକୁ ନେଇ ଦେଖାଦେଇଛି ନୂଆ ବିବାଦ । କେନ୍ଦ୍ର ସରକାରଙ୍କୁ ରାଫେଲ ଚୁକ୍ତି ନେଇ ସୁପ୍ରିମ୍କୋର୍ଟ କ୍ଲିନ୍ ଚିଟ୍ ଦେଇଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ମାନିବାକୁ ଅରାଜି । ତେଣୁ ବିରୋଧୀଙ୍କ ପକ୍ଷରୁ ପୁଣି ସୁପ୍ରିମକୋର୍ଟରେ ରାଫେଲ୍ ଚୁକ୍ତିରେ ଦୁର୍ନୀତି ହୋଇଥିବା ପିଟିସନ୍ ଦାଖଲ କରାଯାଇଥିଲା । ତେବେ ଏହି ମାମଲାରେ ବୁଧବାର ଶୁଣାଣି ବେଳେ ଆସିଛି ଏକ ନୂଆ ବିବାଦ । ଅଟର୍ଣ୍ଣି ଜେନେରାଲ ଭେନୁଗୋପାଲ ସୁପ୍ରିମ୍କୋର୍ଟରେ ଏକ ଗମ୍ବୀର ପ୍ରସଙ୍ଗ ଉଠାଇଛନ୍ତି । ସେ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ରାଫେଲ୍ ସମ୍ପର୍କିତ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଓ ସିକ୍ରେଟ୍ କାଗଜପତ୍ର ଚୋରି ହୋଇଯାଇଛି ।
ଆଟର୍ଣ୍ଣି ଜେନେରାଲ କୋର୍ଟକୁ ଜଣାଇଛନ୍ତି ଯେ, କିଛି ଲୋକ ସେବକଙ୍କ ଦ୍ୱାରା ରାଫେଲ୍ ମାମଲାରେ ସମ୍ପୃକ୍ତ ଫାଇଲ୍କୁ ଅଫିସ୍ରୁ ଚୋରି କରି ନିଆଯାଇଛି । ଗୁରୁତ୍ୱପୁର୍ଣ୍ଣ କାଗଜପତ୍ରକୁ ଚୋରି କରି ଗଣମାଧ୍ୟମକୁ ଦିଆଯାଇଥିବା ବେଳେ ତାହା ଖବର କାଗଜରେ ପ୍ରକାଶ କରାଯାଇଛି । ଏହି ଘଟଣାରେ ତଦନ୍ତ ଜାରି ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣମାଧ୍ୟମକୁ ରାଫେଲ ସହ ଜଡ଼ିତ କାଗଜପତ୍ର କିଏ ଦେଇଛି ସେ ନେଇ ତଦନ୍ତ ଆରମ୍ଭ ହୋଇସାରିଛି । ଏହା ଅତ୍ୟନ୍ତ ଗମ୍ଭୀରତାର ବିଷୟ । ଏହି ଘଟଣାରେ ଯେଉଁମାନେ ବି ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ । ଏହି ଘଟଣାରେ ଅଫିସିଆଲ୍ ସିକ୍ରେଟ୍ ଯାଞ୍ଚ ନିୟମ ଅନୁଯାୟୀ ଘଟଣାର ତଦନ୍ତ କରାଯିବ ।
ଦୈନିକ ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ତଥ୍ୟକୁ ବିରୋଧୀ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥାପନା କରିଛନ୍ତି । କିନ୍ତୁ ଖବର କାଗଜରେ ପ୍ରକାଶିତ ତଥ୍ୟକୁ ଗୁରୁତ୍ୱ ଦିଆଯାଇପାରିବ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ ସିଧାସଳଖ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢିଛନ୍ତି ।
