ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ଆଗାମୀ ଦିନରେ ସମସ୍ୟା ବଢିପାରେ । ମହାରାଷ୍ଟ୍ରର ସାଇବର ସେଲ ତାଙ୍କ ବିରୁଦ୍ଧରେ ଏକ ନୂଆ ଚାର୍ଜସିଟ ଦାଖଲ କରିଛି ।ଏହି ଚାର୍ଜଶିଟରେ ମହାରାଷ୍ଟ୍ର ପୋଲିସର ସାଇବର ସେଲ ଦାବି କରିଛି ଯେ ମୁମ୍ବାଇ ନିକଟସ୍ଥ ଦୁଇଟି ପଂଚତାରକା ହୋଟେଲର ରାଜ କୁନ୍ଦ୍ରା ଅଶ୍ଳୀଲ ଫିଲ୍ମ ଶୁଟ କରିଥିଲେ ।କେବଳ ସେତିକି ନୁହେଁ ସେ ଏହି ଫିଲ୍ମ ଗୁଡିକୁ ଓଟିଟି ପ୍ଲାଟଫର୍ମରେ ବିକ୍ରୀ କରି ମୋଟା ଅର୍ଥ ଉପାର୍ଜନ କରିଥିଲେ।
ସାଇବର ସେଲ ଦାଖଲ କରିଥିବା ଏହି ଚାର୍ଜସିଟରେ ପୁନମ ପାଣ୍ଡେ ଓ ଶର୍ଲିନ ଚୋପଡାଙ୍କ ମଧ୍ୟ ନାମ ରହିଛି । ଏହି ମାମଲାରେ ରାଜ କୁନ୍ଦ୍ରା 63 ଦିନ ଧରି ମୁମ୍ବାଇର ଆର୍ଥର ଜେଲରେ ଥିଲେ । ଗତ ବର୍ଷ ସେପ୍ଚେମ୍ବର ମାସରେ ତାଙ୍କୁ ସେସନ୍ସ କୋର୍ଟ ଜାମିନ ଦେବା ପରେ ସେ ଜେଲରୁ ବାହାରିଥିଲେ । ସାଇବର ସେଲ ଦାଖଲ କରିଥିବା ଏହି 450 ପୃଷ୍ଠାର ଚାର୍ଜସିଟରେ ବନାନା ପ୍ରାଇମ ଓଟିଟିର ସୁବଜିତ ଚୌଧୁରୀ ଓ କୁନ୍ଦ୍ରାଙ୍କ ଏକ କର୍ମଚାରୀ ଉମେଶ କାମଥ ଉପରେ ୱେବ ସିରିଜ ପ୍ରେମ ପାଗଲାନୀ ଅନଲାଇନ ପ୍ଲାଟଫର୍ମରେ ଅପଲୋଡ କରିଥିବା ଅଭିଯୋଗ ରହିଛି ।
ସେହିପରି ପୁନମ ପାଣ୍ଡେଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ନିଜେ ନିଜର ପୁନମ ପାଣ୍ଡେ ଆପ ଡେଭଲପ କରିଥିଲେ ଓ କୁନ୍ଦ୍ରାଙ୍କ କମ୍ପାନୀ ଆର୍ମପ୍ରାଇସ ସହ ବିଜନେସ ଏଗ୍ରିମେଂଟ କରି ଭିଡିଓ ଶୁଟ କରିଥିଲେ । ଏହି ଭିଡିଓ ଗୁଡିକୁ ସାର୍କୁଲେଟ କରିବାକୁ ମଧ୍ୟ ସେ ଏହି କମ୍ପାନୀର ସହଯୋଗ ନେଇଥିଲେ । ସେହିପରି କ୍ୟାମେରାମେନ ରାଜୁ ଦୂବେଙ୍କ ଉପରେ ଶର୍ଲିନ ଚୋପଡାଙ୍କ ଭିଡିଓ ଶୁଟ କରିବାର ଅଭିଯୋଗ ରହିଛି। ପ୍ରଡ୍ୟୁସର ମୀତା ଝୁନଝୁନୱାଲାଙ୍କ ଉପରେ ଏହି ସମସ୍ତଙ୍କୁ ସାହାଯ୍ୟ କରିବାର ଅଭିଯୋଗ ରହିଛି ।
ଚାର୍ଜଶିଟରେ କୁହାଯାଇଛି ଯେ ଏହି ସମସ୍ତ ମାମଲାରେ ଆର୍ମ୍ସପ୍ରାଇସ କମ୍ପାନୀ କୁ ଏହି ସବୁ ଅଭିଯୁକ୍ତଙ୍କ ଠାରୁ ଅର୍ଥ ମିଳିଛି । ତେଣୁ କୁନ୍ଦ୍ରାଙ୍କ କମ୍ପାନୀ ଏହି ଅପରାଧ କରିବାକୁ ପ୍ରବର୍ତାଇଥିଲା ବୋଲି ଏଥିରେ କୁହାଯାଇଛି । ଉଲ୍ଲେଖନୀୟ ଯେ ଗତ ବର୍ଷ ମୁମ୍ବାଇରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ସମେତ 6 ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହି ମାମଲା ସାମନାକୁ ଆସିଥିଲା । ପରେ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିଲା ।