ରାଜୁଙ୍କ କମେଡି କରିବାର ନିଆରା ଅନ୍ଦାଜରେ ସମସ୍ତେ ଘାଇଲା ଥିଲେ । ଷ୍ଟାଣ୍ଡ ଅପ୍ କମେଡି ହେଉ କି କମେଡି ରିଆଲିଟି ସୋ, ସବୁଥିରେ ଛାଡିଯାଉଥିଲେ ନିଜର କଳାର ଛିଟା । ଆଉ ଯେଉଁ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ସେଥିରେ ବି ତାଙ୍କ ଅଭିନୟ ଛାତିରେ ଜୀବନ୍ତ ହୋଇ ରହିଛି । ବାଜିଗର, ଆମଦାନୀ ଅଠାନି ଖର୍ଚା ରୁପୟା, ବମ୍ବେ ଟୁ ଗୋଆ, ଟଏଲେଟ୍ ଏକ ପ୍ରେମ କଥା, ଫିରଙ୍ଗି, ମେଁ ପ୍ରେମ କି ଦିୱାନୀ ହୁଁ ପରି ଚଳଚ୍ଚିତ୍ରରେ କାମ କରିଛନ୍ତି ରାଜୁ । ଉତ୍ତର ପ୍ରଦେଶର କାନପୁରରେ ୨୫ ଡିସେମ୍ବର ୧୯୬୩ରେ ଜନ୍ମ ଗ୍ରହଣ ହୋଇଥିଲେ ରାଜୁ ।
ରାଜୁ ଶ୍ରୀବାସ୍ତବଙ୍କ ଅସଲି ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ଗଜୋଧର ଭୟା ନାମରେ ମଧ୍ୟ ସେ ବେଶ ଜଣାଶୁଣା । ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ଚାମ୍ପିୟନରେ ଦି କିଙ୍ଗ ଅଫ କମେଡି ଟାଇଟଲ ହାତେଇଥିଲେ ରାଜୁ । ଏହା ସହ କମେଡି ସର୍କସ, କମେଡି କା ମହା ମୁକାବିଲା, ଲାଫ ଇଣ୍ଡିଆ ଲାଫ,କମେଡି ନାଇଟସ ଉଇଥ କପିଲ ଇତ୍ୟାଦିରେ ମଧ୍ୟ ରାଜୁ ନଜର ଆସିଥିଲେ । ମୋଷ୍ଟ କଣ୍ଟ୍ରଭର୍ସିଆଲ ରିଆଲିଟି ସୋ ବିଗ ବସ ୩ରେ ମଧ୍ୟ ରାଜୁଙ୍କୁ ଦେଖିବାକୁ ମିଳିଥିଲା । ପ୍ରଥମେ ସମାଜବାଦୀ ପାର୍ଟି ଓ ପରେ ବିଜେପିରେ ଯୋଗଦାନ କରି ରାଜନୀତିରେ ମଧ୍ୟ ଏଣ୍ଟ୍ରି ମାରିଥିଲେ ରାଜୁ । ସ୍ବଚ୍ଛ ଭାରତ ଅଭିଯାନ ବେଳେ ପ୍ରଧାନମନ୍ତ୍ରୀ ରାଜୁଙ୍କୁ ମଧ୍ୟ ମନୋନୀତ କରିଥିଲେ । ଶେଷ ସମୟରେ ସେ ଉତ୍ତର ପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ରାଜୁ । ତାଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁପି ମୁଖ୍ୟମନ୍ତ୍ରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।