ଅନ୍ୟପଟେ ଗତ ମୌସୁମୀ ଅଧିବେଶନ ସମୟରେ ଗୃହରେ ହୋ ହଲ୍ଲା କରିଥିବା ଅଭିଯୋଗରେ ବିଭିନ୍ନ ବିରୋଧି ଦଳର 12ଜଣ ସଦସ୍ୟଙ୍କୁ ଗୃହରୁ ନିଳମ୍ବନ କରାଯାଇଛି। ଯାହାକୁ ନେଇ ଆଜି ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ ଏକ ବୈଠକ ଡାକିଛନ୍ତି। ସେହିପରି ନିଲମ୍ବନ ହୋଇଥିବା 12ଜଣ ସଦସ୍ୟ ଆଜି ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଭେଟିବେ ବୋଲି ଜଣାପଡିଛି।
ଅନ୍ୟପଟେ ସଂସଦର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ଆଜି ଓଡିଶାର ବିଭିନ୍ନ ପ୍ରସଙ୍ଗ ଉଠିବା ନେଇ ସୂଚନା ରହିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଲୋକସଭା ସଚିବଙ୍କୁ ମୁଲତବି ପ୍ରସ୍ତାବ ନୋଟିସ ଦେଇଛନ୍ତି। ମୁଖ୍ୟତ ମାହାଙ୍ଗା ଡବଲ ମର୍ଡର , ମମିତା ମେହେରା ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁଷ୍କର୍ମ, ମାଲକାନଗିରି ପୋଲିସ କ୍ୟାଣ୍ଟିନ ଦୁଷ୍କର୍ମ, ବେବିନା, ଇତିଶ୍ରୀ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ନିଜ ମୁଲତବୀ ନୋଟିସରେ ଲେଖିଛନ୍ତି।
ଏହି ସବୁ ଘଟଣାରେ କେନ୍ଦ୍ର ସରକାର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତଦାରଖରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟରେ ଦିନକୁ ଦିନ ହତ୍ୟା, ଗଣଦୁଷ୍କର୍ମ ଘଟଣା ବଢିଚାଲିଥିବା ସେ ନିଜର ମୁଲତବୀ ନୋଟିସରେ ଉଲ୍ଲେଖ କରିଛନ୍ତି।