ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ 19 ସେପ୍ଟେମ୍ବର 2023। କାରଣ ଏହି ଦିନରେ ମୋଦି ସରକାରଙ୍କ ଦୁଇ ଦୁଇଟି ଐତିହାସିକ ପଦକ୍ଷେପ ଭାରତୀୟ ଗଣତନ୍ତ୍ର ପାଇଁ ସବୁଦିନ ସ୍ମରଣୀୟ ରହିବ। ଦେଶର ଅଧା ଜନସଂଖ୍ୟା ଅର୍ଥାତ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋଗା ଉପହାର। ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଯେଉଁ ସମ୍ମାନ ଓ ଅଧିକାର ଦେବାପାଇଁ ପୂର୍ବରୁ ଅନେକ ସରକାର ବିଫଳ ହୋଇଥିଲେ ଏବେ ପିଏମ୍ ନରେନ୍ଦ୍ର ମୋଦି ତାହାକୁ ସାକାର କରିବାକୁ ଯାଉଛନ୍ତି। ନୂଆ ସଂସଦର ପ୍ରଥମ ଦିନର ପ୍ରଥମ ସତ୍ରରେ ଆଗତ ହୋଇଛି ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଧେୟକ। ମୋଦି ସରକାର ଯାହାର ନାଁ ରଖିଛନ୍ତି ନାରୀ ଶକ୍ତି ବନ୍ଦନ ବିଧେୟକ। ନୂଆ ସଂସଦ ଭବନରେ ନିଜର ପ୍ରଥମ ଭାଷଣରେ ଏହାର ଉଦଘୋଷଣ କରିବା ସହ ଦଣ ମତ ନିର୍ବିଶେଷରେ ଏହି ବିଧେୟକକୁ ସମର୍ଥନ କରିବାକୁ ସବୁ ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ନାରୀ ଶକ୍ତି ବନ୍ଦନ ବିଧେୟକ 2023କୁ ଔପଚାରିକ ଭାବେ ଲୋକସଭାରେ ଉପସ୍ଥାପନ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମଘୱାଲ। ଏହି ବିଲ କାର୍ଯ୍ୟକାରୀ ହେଲେ ଲୋକସଭାରେ ମହିଳା ସାସଂଦଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ ରହିବ। ଅର୍ଥାତ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ସର୍ବନିମ୍ନ 181 ରହିବ।
ଲୋକସଭା ସହ ଦିଲ୍ଲୀ ଓ ସବୁ ରାଜ୍ୟ ବିଧାନସଭାରେ ମଧ୍ୟ ଲାଗୁହେବ 33 ପ୍ରତିଶତ ମହିଳା ସଂରକ୍ଷଣ। ତେବେ ସଂସଦରେ ଏସସି ଏସଟି ମହିଳାଙ୍କ ପାଇଁ ପୃଥକ ଆରକ୍ଷଣ ବ୍ୟବସ୍ଥା ରହିବ ନାହିଁ। ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ଯେତେକି ଆସନ ସଂରକ୍ଷିତ ରହିଛି ସେଥିମଧ୍ୟରୁ 33 ପ୍ରତିଶତ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏବେ 543 ଆସନରୁ 84 ଟି ଏସସି ଓ 47ଟି ଏସଟିଙ୍କ ପାଇଁ ସଂରକ୍ଷିତ ରହିିଛି। ଏହି ବିଲ ପାସ ହେବା ପରେ ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ 84 ଆସନରୁ 28 ଏବଂ ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ ଆସନରୁ 16ଟି ସେହି ବର୍ଗର ମହିଳାଙ୍କ ପାଇଁ ରିଜର୍ଭ ରହିବ। ଏହାଛଡ଼ା ଯେଉଁ ଆସନଗୁଡ଼ିକ ଅଣସଂରକ୍ଷିତ ରହିଛି ସେଠାରେ ମଧ୍ୟ ମହିଳାମାନେ ପ୍ରାର୍ଥୀ ହୋଇପାରିବେ। ନାରୀ ଶକ୍ତି ବନ୍ଦନ ବିଧେୟକ 2023କୁ ଲୋକସଭାରେ ଆଗତ କରି ଆଇନମନ୍ତ୍ରୀ ମେଘୱାଲ କହିଥିଲେ ପୂର୍ବରୁ ଜାଣିଶୁଣି ଏହି ବିଲକୁ ପାସ କରାଯାଇନଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମହିଳା ମାଷ୍ଟରଷ୍ଟ୍ରୋକରେ ଘାଇଲା ବିରୋଧୀ ଏଥିରେ ଶ୍ରେୟ ନେବାକୁ ଉଦ୍ୟମ କରିଥିଲେ। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଏହି ବିଲ ୟୁପିଏ ସରକାର ଅମଳରେ ଲୋକସଭାରେ ପାସ ହୋଇଛି ତେଣୁ ଆଉ ପାସ କରାଯିବାର ଆବଶ୍ୟକତା ନାହିଁ।
ଅଧୀରଙ୍କର ଉଦ୍ଦେଶ୍ୟ ଭଲ ଭାବରେ ବୁଝିପାରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଏହାର ଜବାବରେ ସଦନକୁ ଅବଗତ କରାଇବାକୁ ଯାଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଲୋକସଭା ଭଙ୍ଗ ହେବ ସହ ପୂର୍ବ ଲୋକସଭାରେ ଅଟକି ରହିଥିବା ବିଧେୟକ ମଧ୍ୟ ଅକାମୀ ହୋଇଯାଏ।
ଅଧିକ ପଢ଼ନ୍ତୁ ଭାରତ ଖବର