ଆମ୍ବ ସମ୍ରାଟଙ୍କ ସୁରକ୍ଷା ବ୍ୟବସ୍ଥା ବି ଖୁବ କଡ଼ା । ଗଛରେ ଫଳିଥିବା ଏହି ଆମ୍ବକୁ ୨୪ ଘଣ୍ଟା ଜଗି ରୁହନ୍ତି ଶିକାରୀ କୁକୁର ଓ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡ । CCTVର ନଜର ବି ରହିଥାଏ ଏହି ଆମ୍ବଗଛ ଉପରେ।
ବିଶ୍ବର ସବୁଠାରୁ ଦାମୀ ଆମ୍ବ ହେଉଛି ମିୟାଜାକି । ଏହା ମୂଳତଃ ଜାପାନର ମିୟାଜାକି ପ୍ରଦେଶରେ ଫଳେ । ଏବେ ଭାରତରେ ବି ହେଲାଣି ଏହି ଆମ୍ବ । ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳର ସଂକଳ୍ପ ପରିହାର ଓ ତାଙ୍କ ପତ୍ନୀ ରାଣୀ ପରିହାର ଏହି ଦାମୀ ଆମ୍ବ ପ୍ରଜାତିର ଦୁଇଟି ଗଛ ଲଗାଇଛନ୍ତି ନିଜ ବଗିଚାରେ । ଅପ୍ରେଲରୁ ଅଗଷ୍ଟ ମାସ ଭିତରେ ଏହି ଗଛରେ ଆମ୍ବ ଫଳେ । ଗତ ବର୍ଷରୁ ପରିହାରଙ୍କ ମିୟାଜାକି ଆମ୍ବ ଗଛରେ ଫଳ ଧରୁଛି । ଚୋରଙ୍କୁ ବି ମିଳି ଗଲାଣି ଏହି ଦାମୀ ଆମ୍ବର ସୁରାକ । ୨୦୨୧ରେ ପରିହାରଙ୍କ ତୋଟାରୁ ଚୋରୀ ହୋଇଗଲା ମିୟାଜାକି ଆମ୍ବ । ଏଥର ଚୋରଙ୍କୁ ସୁଯୋଗ ଦେଇ ନାହାନ୍ତି ପରିହାର ଦମ୍ପତ୍ତି । ଗଛରେ ଫଳିଥିବା ମିୟାଜାକି ଆମ୍ବ ଗୁଡିକୁ ଦିନ ରାତି ଜଗି ରହୁଛନ୍ତି ୪ ଜଣ ସିକ୍ୟୁରିଟି ଗାର୍ଡ ଓ ୯ଟି ଶିକାରୀ କୁକୁର।
ଲୋକେ ଗୋଟିଏ ମିୟାଜାକି ଆମ୍ବ ପିଛା ୨୦,୦୦୦ ଟଙ୍କା ଦେବାକୁ ତିଆର । ହେଲେ ଏହି ଦରରେ ନିଜ ଆମ୍ବ ବିକିବାକୁ ଅରାଜି ପରିହାର ଦମ୍ପତ୍ତି । ସେମାନେ ନିଜର ସବୁ ମିୟାଜାକି ଆମ୍ବକୁ ଏକାଥରକେ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରି ଅଧିକ ଲାଭ ଅର୍ଜିବାକୁ ଇଚ୍ଛୁକ । ସେଇଥି ପାଇଁ ଗୋଟିଏ ବି ଆମ୍ବ ଚୋରୀ ହେବାକୁ ଦେଉ ନାହାନ୍ତି ।
ଭାଗ୍ୟ ବଳରେ ପରିହାର ଦମ୍ପତ୍ତି ପାଇଥିଲେ ମିୟାଜାକି ଆମ୍ବ ଚାରା । ଟ୍ରେନରେ ଚେନ୍ନାଇ ଗଲା ବେଳେ ଜଣେ ଅଜଣା ବ୍ଯକ୍ତି ତାଙ୍କୁ ଏହି ଆମ୍ବ ଗଛର ଚାରା ଦେଇଥିଲେ। ପାଚିଲେ ମିୟାଜାକି ଆମ୍ବର ରଙ୍ଗ ବାଇଗଣି । ଏହାକୁ ଜାପାନରେ ‘ସୁର୍ଯର ଅଣ୍ଡା’ ବୁ କୁହନ୍ତି । ଏହି ପ୍ରଜାତିର ଗୋଟିଏ ଗୋଟିଏ ଆମ୍ବର ଓଜନ ପ୍ରାୟ ୩୫୦ ଗ୍ରାମ। କୁହାଯାଏ ଏହାକୁ ଖାଇଲେ ଦୃଷ୍ଟିଶକ୍ତି ବଢେ । ଏହି ଆମ୍ବରେ ଆଣ୍ଟି ଅକ୍ସିଡାଣ୍ଟ, ବିଟା କାରୋଟିନ, ଫଲିକ ଏସିଡ ଭଳି ପୌଷ୍ଟିକ ତତ୍ତ୍ବ ଅଛି । କିନ୍ତୁ ଆମ ଭଳି ସାଧାରଣ ଲୋକ ଅହି ଆମ୍ବର ସୁଆଦ ଚାଖିବା ସାତ ସପନ।