ବିରୋଧୀ ଦଳର ନେତା ବିଜୟ ସିହ୍ନା କହିଛନ୍ତି ଯେ ଏହା ମହା ଗଠବନ୍ଧନ ସରକାରଙ୍କର ସୁଚିନ୍ତିତ ଷଡଯନ୍ତ୍ର । ଯେବେ ଯେବେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଆସିଥାନ୍ତି ସେବେ ସେବେ ବିହାର ସରକାରଙ୍କ ହାର୍ଟ ବିଟ ବଢି ଯାଇଥାଏ । ଦୁର୍ନୀତିଗ୍ରସ୍ତ ମାନଙ୍କର ହାର୍ଟ ବିଟ ବଢିଯାଇଥାଏ । ରବିବାର ଦିନ ଅମିତ ଶାହଙ୍କ ସାସାରାମ ଗସ୍ତର କାର୍ଯ୍ୟକ୍ରମ ଥିଲା । ସମ୍ରାଟ ଅଶୋକଙ୍କ ଜୟନ୍ତୀ ଅବସରରେ ସେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା ।
ରାମନବମୀ ଅବସରରେ ସାସାରାରମରେ ଶୋଭାଯାତ୍ରା ବାହାରିଥିଲା । ହଠାତ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଯାଇଥିଲା । ଦେଖୁ ଦେଖୁ ସହରର ବିଭି୍ନ୍ନ ସ୍ଥାନରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ଉପଦ୍ରବକାରୀ ମାନେ ଅନେକ ସ୍ଥାନରେ ଘର ଓ ଦୋକାନକୁ ପୋଡା ଜଳା କରିବା ସହ ଦୋକାନର ଶଟର ଭାଙ୍ଗି ଜିନିଷ ପତ୍ର ଲୁଟି ନେବାକୁ ଚେଷ୍ଟା କରିଥିଲେ । କେବଳ ସାସାରାମ ନୁହେଁ ବିହାରର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ଓ ପରେ ହିଂସା ହେବାର ସୂଚନା ରହିଛି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଜ ଜିଲ୍ଲାରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ।
ନାଳନ୍ଦା ଜିଲ୍ଲାର ବିହାର ସରିଫ ଠାରେ ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ କରାଯାଇଥିଲା । ସେଠାରେ ମଧ୍ୟ ସ୍ଥିତି ଖରାପ ହେବା କାରଣରୁ ସ୍ଥିତିକୁ ନିୟନ୍ତ୍ରିତ କରିବାକୁ ଧାରା 144 ଲଗାଯାଇଛି । ସେହିପରି ବିହାରର ଗୟାରେ ମଧ୍ୟ ଏଭଳି ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । ଏଠାରେ ତ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିବା ପରେ ଉପଦ୍ରବକାରୀ ମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା ଜଣା ପଡିଛି ।