ଅର୍ଗସ ବ୍ୟୁରୋ: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲା ଜାରି ରଖିଛି ଋଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍ ଉପରେ ଲଗାତାର ହମଲା କରିବା ପରେ ଚେର୍ଣ୍ଣିହିଭରେ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ମିସାଇଲ ମାଡ଼ ଯୋଗୁ ଏଠାରେ ଥିବା ତୈଳ ଡିପୋରେ ନିଆଁ ଲାଗି ଯାଇଛି। ଖାରକିଭ ସହିତ ସୁମୀ ,ଜେପ୍ରୋଜିଆ, ଡେନିପ୍ରୋ, ଓଡେଶା ଆଦି ସହରରେ ବି ଋଷ ସୈନ ଦମନ ଲୀଳା ଜାରୀ ରଖିଛନ୍ତି । ରୁଷିଆ ଗୋଟିଏ ପରେ ଗୋଟିଏ ସହରକୁ ନିଜର ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ଖେରସନକୁ ପୁରାପୁରି ଅଧିକାର କରିଥିବା ବେଳେ ଏବେ ବି ରାଜଧାନୀ କିଭକୁ ସଂପୂର୍ଣ ରୂପେ କବଜା କରିପାରିନି ରୁଷ। ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ କରିଛନ୍ତି ବଡ଼ ଦାବି। ଜେଲେନସ୍କି କହିଛନ୍ତି, ରୁଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି। ରୁଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ରୁଷ ସେନାକୁ କଡ଼ା ଜବାବ ଦେଉଛୁ ଓ ଦେବୁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।
ସେପଟେ ସମୁଦ୍ର ରାସ୍ତାରେ ୟୁକ୍ରେନ୍ ଉପରେ ରୁଷ ବଡ଼ ଆକ୍ରମଣ କରିବାର ଆଶଙ୍କା ଦେଖାଜାଉଛି । 'ବ୍ଲାକ୍ ସି'ରେ ଅନେକ ସଂଖ୍ୟାରେ ଋଷ ସୈନିକ ଏକାଠି ହେଉଥିବା ସୂଚନା ମିଳିଛି । କ୍ରିମିୟାରୁ ୟୁକ୍ରେନ୍ ଆଡକୁ ୠଷ ଯୁଦ୍ଧ ଜାହାଜ ଆଗକୁ ବଢୁଥିବାର ଭିଡିଓ ଦେଖିବାକୁ ମିଳିଛି । ଦକ୍ଷିଣ ପଟୁ ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ୟୁକ୍ରେନ୍-ରଷିଆ ଯୁଦ୍ଧକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୱାଡ୍ ବୈଠକ । ଭାରତ, ଆମେରିକା, ଅଷ୍ଟ୍ରେଲିଅର, ଜାପାନ ଏହି ବୈଠକରେ ଭର୍ଚୁଆଲରେ ସାମିଲ ହେବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ଜୋ-ବାଇଡେନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।