ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କର ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରିବେ। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ମଜବୁତ କରିବା ଉପରେ ମଧ୍ୟ ଚର୍ଚ୍ଚା କରିବେ। ଏହାସହ ପାରସ୍ପାରିକ ସହଯୋଗ ବିନିମୟ ରାଜିନାମା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦୁଇ ଦେଶ ମଧ୍ୟରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ । ବାଣିଜ୍ୟ, ଶକ୍ତି, ସଂସ୍କୃତି, ପ୍ରତିରକ୍ଷା, ମହାକାଶ, ପ୍ରଯୁକ୍ତି ଆଦି କ୍ଷେତ୍ରରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବାର ଅଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ରାଷ୍ଟ୍ରପତି ପୁଟିନଙ୍କ ଗସ୍ତ ପୂର୍ବରୁ ମୋଦି ସରକାର ଋଷର ସହଭାଗିତାରେ ଭାରତରେ ଏକେ-୨୦୩ ରାଇଫଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଥିଲେ। । ଉତ୍ତରପ୍ରଦେଶ ଆମେଠିର କୋରଓ୍ବା କାରଖାନାରେ 7 ଲକ୍ଷ ଏକେ-୨୦୩ ତିଆରି ହେବ ।
ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ପ୍ରକଳ୍ପ ଲାଗି ୫ ହଜାର କୋଟି ଟଙ୍କା ମଞ୍ଜୁର ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏହାର ଆନୁଷ୍ଠାନିକ ଘୋଷଣା କରିବେ। ବୈଦେଶିକ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନ ସୋମବାର ସନ୍ଧ୍ୟା ୫ଟା ୩୦ରେ ଶିଖର ବାର୍ତ୍ତା ଆରମ୍ଭ କରିବେ। ଏହା ପରେ ରାତି ୯ଟା ୩୦ରେ ଦିଲ୍ଲୀରୁ ରୁଷ ଅଭିମୁଖେ ଉଡାଣ ଭରିବେ ପୁଟିନ।