ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏଥିରେ ଖାଲି ରାଜନୈତିକ ଲଢେଇ ଲଢାଯାଉ ନାହିଁ, ଏବେ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏକନାଥ ଗୋଷ୍ଠୀ । ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ଚୟନ ନିଷ୍ପତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି । ବଦଳ ନିୟମ ଅନୁସାରେ ଯଦି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ ନିର୍ଦ୍ଦିଷ୍ଟ ଦଳରୁ ବାହାରି ନୂଆ ଦଳ ଗଠନ କରନ୍ତି କିମ୍ବା କୌଣସି ଦଳରେ ବିଲୟ ହୁଅନ୍ତି ତେବେ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ।
ତେଣୁ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବେ ବୋଲି ସ୍ପଷ୍ଟ ହେଉଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୁଆଡେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର । ସେପଟେ ଧୀରେ ଧୀରେ ଶକ୍ତିଶାଳୀ ହେଉଛି ସିନ୍ଦେ କ୍ୟାମ୍ପ । ଗଡ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଉଦ୍ଧବ ।