ମିଳିଥିବା ସୂଚନା ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ମୋଟ 7 କୋଟି 35 ଲକ୍ଷ ଭକ୍ତ ଏହି ମନ୍ଦିରରେ ପହଂଚି ବାବା ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି । ଏହି ସମୟ ମଧ୍ୟରେ ଶିବ ଭକ୍ତ ମାନେ ରେକର୍ଡ ସଂଖ୍ୟାରେ ଶହେ କୋଟି ଟଙ୍କାର ଦାନ ମନ୍ଦିରକୁ ଦେଇଥିବା ଜଣା ପଡିଛି। କେବଳ ସେତିକି ନୁହେଁ ଶିବଭକ୍ତ ମାନେ ଶିବ ଭକ୍ତ ମାନେ ଗତ ଏକବର୍ଷ ମଧ୍ୟରେ 60 କିଲୋ ସୁନା, 10 କିଲୋ ରୁପା, 15 ଶହ କିଲୋ ତମ୍ବା ଓ ଅନ୍ୟ ଧାତୁ ମଧ୍ୟ ଦାନ ଦେଇଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରର ଇତିହାସରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଗତ ବର୍ଷ ତୁଳନାରେ ଏହି ଦାନ 5 ଶହ ପ୍ରତିଶତ ଅଧିକ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ବର୍ମା କହିଛନ୍ତି ଯେ ବାବା ବିଶ୍ୱନାଥଙ୍କ ନିକଟରେ ଏବେ ସୁଦ୍ଧା ଭକ୍ତ ମାନେ ପାଖାପାଖି 50 କୋଟିରୁ ଅଧିକ ନଗଦ ଅର୍ଥ ଦାନରେ ଦେଇଛନ୍ତି । ସେହିପରି 40 ପ୍ରତିଶତରୁ ଅଧିକ ଧନରାଶି ଅନଲାଇନ ଜରିଆରେ ପ୍ରାପ୍ତ ହୋଇଛି ।
ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ କାଶୀ ବିଶ୍ୱନାଥ ଧାମକୁ ନୂଆ ଓ ଭବ୍ୟ ସ୍ୱରୂପ ପ୍ରଦାନ କରାଯିବା କାରଣରୁ ବାରାଣସୀରେ ପର୍ଯ୍ୟଟକ ଓ ଭକ୍ତ ମାନଙ୍କର ସଂଖ୍ୟା ଖୁବ ବଢିଛି । ଏହା ଦ୍ୱାରା ପରିବହନ, ହୋଟେଲ, ଗେଷ୍ଟ ହାଉସ, ନାଉରିଆ, ଶ୍ରମିକ, ବସ୍ତ୍ର ଶିଳ୍ପ, ହ୍ୟାଣ୍ଡିକ୍ପାଫ୍ଚ ଓ ଅନ୍ୟ ବ୍ୟବସାୟକୁ ନେଇ ଚାଲିଥିବା ଅର୍ଥନୀତିରେ ମଧ୍ୟ ଗତି ବଢିଛି ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପୂର୍ବରୁ କାଶୀ ବିଶ୍ୱନାଥ ଦର୍ଶନ କରିବାକୁ ପ୍ରତି ବର୍ଷ ପାଖାପାଖି ଏକ କୋଟି ଭକ୍ତ ଆସୁଥିଲେ ହେଲେ ଏବେ ପ୍ରତିମାସରେ ପାଖପାଖି ଏତିକି ଭକ୍ତ ଆସୁଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 2021 ଡିସେମ୍ବର ମାସ 13 ତାରିଖ ଦିନ କାଶୀ ବିଶ୍ୱନାଥ କରିଡରୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହାର ଶିଳାନ୍ୟାସ 2019 ମସିହା ମାର୍ଚ ମାସ 8 ତାରିଖ ଦିନ ରଖିଥିଲେ । ଏହି କରିଡର 5.2 ଲକ୍ଷ ବର୍ଗ ଫୁଟରେ ବ୍ୟାପିଛି । ଏଥିରେ 33 ହଜାର 75 ବର୍ଗଫୁଟରେ କାଶୀ ବିଶ୍ବନାଥ ମନ୍ଦିର ପରିସର ରହିଛି । ଏହି କରିଡରରେ ଏକା ସମୟରେ ପାଖାପାଖି 2 ଲକ୍ଷ ଭକ୍ତ ଜମା ହୋଇ ପାରିବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।