ବିମାନ ବନ୍ଦରରୁ ଶାହଙ୍କୁ ପାଛୋଟି ନେଇଥିଲେ ବିଜେପିର ବରିଷ୍ଠ ନେତୃବୃନ୍ଦ। ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଥିଲା ବିମାନ ବନ୍ଦର ପରିସର । ଅମିତ୍ ଶାହା ଓଡିଶାରେ ପହଞ୍ଚି ବେଶ୍ ଖୁସି ଥିବା କହିଛନ୍ତି। ଓଡିଶା ବାସୀ ଏବଂ କର୍ମକର୍ତ୍ତାଙ୍କ ଭବ୍ୟ ସ୍ୱାଗତ ତାକୁ ଆତ୍ମବିଭୋର କରିଥିଲା। ଶାହ ନିଜ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରେ ପହଞ୍ଚିଲି l ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ।
ତେବେ ବିଳମ୍ବିତ ରାତିରେ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହ । ରାଜ୍ୟ ବିଜେପି ପକ୍ଷରୁ ଶାହଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ଓ ମୁଖପାତ୍ର ବୟଜନ୍ତ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଉପସ୍ଥିତ ଥିଲେ ତମାମ ନେତୃବୃନ୍ଦ । ଫୁଲ ମାଳ ଓ ପୁଷ୍ପ ଗୁଚ୍ଛ ଦେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଜଣାଇଥିଲେ ସ୍ବାଗତ ।
ତେବେ ବିମାନ ପହଞ୍ଚିବାରେ ବିଳମ୍ବ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ମରି ନଥିଲା ଉତ୍ସାହ । ଶାହଙ୍କ ସ୍ବାଗତ ପାଇଁ ବିମାନ ବନ୍ଦର ବାହାରେ ଜମି ଥିଲା କର୍ମୀ ଓ ଜନତାଙ୍କ ଭିଡ଼ । ବିଭିନ୍ନ ପାରମ୍ପରିକ ବାଦ୍ୟ ସହ ନୃତ୍ୟ ଗୀତରେ ଦୁଲୁକିଥିଲା ବିମାନ ବନ୍ଦର । ଆଜି ଶ୍ରାବଣ ମାସ ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ଗୃହମନ୍ତ୍ରୀ । ଏହାପରେ କଟକ ଗସ୍ତରେ ବାହାରିବେ । କଟକ ଗସ୍ତ ବେଳେ ବିଭିନ୍ନ ଛକରେ ତାଙ୍କୁ ସ୍ବାଗତ କରାଯିବ ।
ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ। କଟକରୁ ଫେରିବା ପରେ ଦଳୀୟ କାର୍ଯ୍ୟାଳୟରେ ହର ଘର ତ୍ରିରଙ୍ଗାର ଏକ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଅପରାହ୍ଣ ରେ ସାଢ଼େ ୪ ଟାରେ ମେ ଫେୟାର ହୋଟେଲ ରେ ମୋଦୀ @ 20 ପୁସ୍ତକର ଲୋକାର୍ପଣ କରିବେ ଶାହ।