ସିଞ୍ଜୋ ଆବେ ଆଜି ଯେତେବେଳେ ନାହାନ୍ତି ସେତିକି ବେଳେ ତାଙ୍କୁ କିପରି ସ୍ମରଣ କରାଯିବ ? ସେ ଜଣେ ଭାରତ ସମର୍ଥକ ଥିଲେ । ଭାରତ ସହିତ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା । ଭାରତ ସହ କୂଟନୈତିକ ସମ୍ପର୍କ କିଭଳି ଅତ୍ୟନ୍ତ ଘନିଷ୍ଠ ହେବ ସେ ନେଇ ସେ ଚିନ୍ତା କରୁଥିଲେ ।
ତାଙ୍କର ବ୍ୟକ୍ତିତ୍ୱ କିପରି ଥିଲା ସେ ସମ୍ପର୍କରେ ଜାଣିବାକୁ ହେଲେ ଦେଶର ବିଶିଷ୍ଟ ଚିନ୍ତକ ଏସ ଗୁରୁମୂର୍ତି ତାଙ୍କ ସହ ଘଟିଥିବା ଯେଉଁ ଘଟଣା ମାନ ସମ୍ପର୍କରେ ଟ୍ୱିଟ କରି ଯେଉଁ ସୂଚନା ମାନ ଦେଇଛନ୍ତି ତା ଉପରେ ଦୃଷ୍ଟି ପକାଇବା ଉଚିତ ।
ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଚେୟାରମ୍ୟାନ ଭାବେ ଏସ ଗୁରୁମୂର୍ତି ଏକ ଛୋଟ ପ୍ରତିନିଧି ଦଳ ସହ ଜାପାନ ଗସ୍ତରେ ଯାଇଥିଲେ । ସେତେବେଳେ ଶିଂଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ବିବେକାନନ୍ଦ ଇଂଟରନ୍ୟାସନାଲ ଫାଉଣ୍ଡେସନର ଏହି ପ୍ରତିନିଧି ଦଳ ସିଞ୍ଜୋ ଆବେଙ୍କୁ ଭେଟିଥିଲା । ସିଞ୍ଜୋ ଏହି ପ୍ରତିନିଧିଦଳକୁ ପ୍ରଧାନମନ୍ତ୍ରୀଙ୍କ ଘର ଦେଖିବାକୁ କହିଥିଲେ । ସେତେବେଳେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଘର ହିଁ ଏଠାରେ ପୁରୁଣା । ଆଖପାଖର ସମସ୍ତ ଘର ନୂଆ । ଆମେ ପ୍ରଧାନମନ୍ତ୍ରୀଙ୍କ ଘରକୁ ଏଭଳି ପୁରୁଣା କରି ରଖିଛୁ ତାର କାରଣ ଏହି ଘରେ ହିଁ ଆମେ ଆମେରିକା ଆଗରେ ଆତ୍ମସମର୍ପଣର ଚୁକ୍ତିକୁ ସ୍ୱାକ୍ଷର କରିଥିଲୁ । ଏହି ଘଟଣା ଆମକୁ ସବୁବେଳେ ମନେ ପକାଉଥିବ, ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ଘରକୁ ଏପରି ପୁରୁଣା କରି ରଖିଛୁ ।
ସେହିପରି ଗୁରୁମୂର୍ତି ଆଉ ଏକ କଥାର ଉଲ୍ଲେଖ କରିଛନ୍ତି । ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଜି-7 ବୈଠକରେ ଭାଗ ନେଉଥିଲେ । ବୈଠକରେ ସମସ୍ତ ପାଶ୍ଚାତ୍ୟ ଦେଶ ମାନଙ୍କର ନେତା ମାନେ ଭାଷଣରେ ସେମାନଙ୍କର ଦେଶରେ ମୂଲ୍ୟବୋଧ ହ୍ରାସ ପାଇବା ଓ କ୍ଷରଣ ହେବା ବିଷୟ ଉଲ୍ଲେଖ କରୁଥିଲେ । ସେତେବେଳେ ଏହି ପାଶ୍ଚାତ୍ୟ ଦେଶ ମାନଙ୍କ ନେତା ମାନଙ୍କୁ ସିଞ୍ଜୋ ଆବେ କହିଥିଲେ ଯେ ଆପଣ ମାନେ କେଉଁ ଜୀବନ ମୂଲ୍ୟବୋଧ ହ୍ରାସ ପାଇବା କଥା କହୁଛନ୍ତି । ପାଶ୍ଚାତ୍ୟ ଦେଶର ନେତା ମାନେ ଏହାର ଉତ୍ତରରେ କହିଲେ ଯେ ସେମାନେ ଖ୍ରୀଷ୍ଟିଆନ ମୂଲ୍ୟବୋଧ କଖା କହୁଛନ୍ତି । ସେତେବେଳେ ସିଞ୍ଜୋ ଆବେ ତାଙ୍କୁ ଉତ୍ତର ଦେଲେ ଯେ ତାହା ଜାପାନର ଜୀବନ ମୂଲ୍ୟବୋଧ ନୁହେଁ ।
ଏହି ଦୁଇଟି କଥାରୁ ସିଞ୍ଜୋ ଆବେଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇ ପାରେ । ସେ ଆମେରିକା ଦ୍ୱାରା ଜାପାନ ଉପରେ ଆକ୍ରମଣ କରି ଆତ୍ନ ସମର୍ପଣ କରାଇଥିବା ଘଟଣାକୁ ଭୁଲିବାକୁ ଚାହୁଁ ନଥିଲେ । ଜାପାନର ପରବର୍ତୀ ପୀଢୀ ମାନେ ଏହାକୁ ମନେ ରଖିଥାନ୍ତୁ ଏହା ତାଙ୍କର ସଂକଳ୍ପ ଥିଲା ।
ଠିକ ସେହିପରି ଜାପାନରେ ଖ୍ରୀଷ୍ଟିଆନକରଣକୁ ନେଇ ସେ ଚିନ୍ତିତ ଥିଲେ । ଜାପାନରେ ଜୀବନ ମୂଲ୍ୟବୋଧ ହ୍ରାସ ପାଇବା ତାଙ୍କୁ କଷ୍ଟ ଦେଉଥିଲା । ସେ ଜାପାନର ମୂଳ ସଭ୍ୟତାଗତ ମୂଲ୍ୟବୋଧର ଯୋଦ୍ଧା ଥିଲେ । ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭାରତରେ ଭାରତୀୟତା, ଭାରତୀୟ ମୂଲ୍ୟବୋଧର ହ୍ରାସ ନେଇ ଚିନ୍ତିତ ଅଛନ୍ତି । ତେଣୁ ଉଭୟ ନେତା ମୂଳ ସଭ୍ୟତା ଗୁଡିକର ପୁନଃ ସ୍ଥାପନା ପାଇଁ ମିଳିତ ଉଦ୍ୟମ କରିବା ଦେଖିବାକୁ ମିଳୁଥିଲା । ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ସିଞ୍ଜୋ ଆବେଙ୍କ ଏ ବାବଦରେ ବିଚାର ସମାନ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରଗାଢ ସମ୍ପର୍କ ଥିଲା ।
ଭଗବାନ ବୁଦ୍ଧଙ୍କ ବଚନ ଜାପାନ ପହଂଚି ସେଠାକାର ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଶୋଷକୁ ମେଂଟାଇଥିଲା । ହେଲେ ଧୀରେ ଧୀରେ ୟୁରୋପୀୟକରଣ ଓ ଖ୍ରୀଷ୍ଟିଆନାଇଜେସନ କାରଣରୁ ମୂଳ ସଭ୍ୟତା ଓ ମୂଳ ମୌଳିକ ମୂଲ୍ୟବୋଧ କ୍ଷରଣ ହେଉଥିବାରୁ ସେ ଏହାକୁ ନେଇ ସ୍ପଷ୍ଟ ଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଓ ସିଞ୍ଜୋ ଆବେ ମିଶି ମିଳିତ ଭାବେ ମିଳିତ ସଭ୍ୟତାଗତ ଏଜେଣ୍ଡାର କାମକୁ ଆଗକୁ ବଢାଉଥିଲେ । ହିନ୍ଦୁ ବୌଦ୍ଧ ବାର୍ତାଳାପକୁ ଆଗକୁ ବଢାଇବା ସହ ଭାରତ ଓ ଜାପାନ ମଧ୍ୟରେ ଥିବା ସଂପର୍କକୁ ସେ ଅତ୍ୟନ୍ତ ଦୃଢ କରିବାକୁ ସେ ଲଗାତାର ଚେଷ୍ଟିତ ଥିଲେ । ତାଙ୍କର ଏପରି ହଠାତ ଚାଲି ଯିବା ଦ୍ୱାରା ଭାରତ ଓ ଜାପାନ ମିଳିତ ଭାବେ ମୂଳ ସଭ୍ୟତାକୁ ପୁନଃ ସ୍ଥାପିତ କରିବାକୁ ଯେଉଁ ପ୍ରୟାସ ଚାଲିଥିଲା ତା ଉପରେ ନିଶ୍ଚିତ ଧକ୍କା ଲାଗିବ ।