ଏକାନାଥ ଗୋଷ୍ଠୀଙ୍କୁ ଶିବସେନା ଦଳ ମିଳିବା ପରେ ଉଦ୍ଧବ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ବିରୋଧରେ ବିଷୋଦଗାର କରିବା ସହ ସୁପ୍ରିମକୋର୍ଟରେ ଅପିଲ କରିବା ପାଇଁ ଅଣ୍ଟାଭିଡିଛନ୍ତି । ସେପଟେ ଉଦ୍ଧବ ଠାକରେ କେଉଁଠି ନା କେଉଁଠି ସରେଣ୍ଡର କରି ନୂଆ ଚିହ୍ନ ସହ ନିର୍ବାଚନରେ ଓହ୍ଲାଇବାକୁ ଘୋଷଣା କରିଛନ୍ତି । ଏହାସହ ଆଗାମୀ ରଣନୀତିକୁ ନେଇ ଉଦ୍ଧବଙ୍କ ବାସଭବନରେ ଉଦ୍ଧବ ଗୋଷ୍ଠୀ ଏକାଠି ହୋଇଥିବା ବେଳେ ଉଦ୍ଧବଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ନାରାବାଜି ସହ ବିରୋଧ ପ୍ରଦର୍ଶନ କରୁଛନ୍ତି ।
ଆନ୍ଦୋଳନର ଅଗ୍ନି ସ୍ଫୁଲିଙ୍ଗ ଭାବେ ୧୯୬୬ରେ ଜନ୍ମ ନେଇଥିଲା ଶିବସେନା । ମରାଠୀଙ୍କ ହକ୍ ପାଇଁ ଗଢ଼ିଉଠିଥିବା ଶିବସେନାର ପ୍ରତିଷ୍ଠାତା ଥିଲେ ବାଲା ସାହେବ ଠାକରେ । ଜରୁରୀକାଳୀନ ପରିସ୍ଥିତି ସମୟରେ ଶିବସେନା ଉପରେ ଯେମିତି ପ୍ରତିବନ୍ଧ ନଲାଗୁ, ସେଥିପାଇଁ ୧୯୭୬ ମସିହାରେ ଏହାକୁ ରାଜନୈତିକ ଦଳରେ ପରିଣତ କରିଥିଲେ ବାଲା ସାହାବ । ୧୯୮୯ର ଲୋକସଭା ନିର୍ବାଚନରେ ଶିବସେନା ଖାତା ଖୋଲିବାରେ ସଫଳ ହୋଇଥିଲା । ଯାହାଫଳରେ ଶିବସେନାକୁ ଆଞ୍ଚଳିକ ଦଳର ମାନ୍ୟତା ମିଳିଥିଲା, ଏବଂ ଦଳୀୟ ଚିହ୍ନ ଭାବେ ଧନୁତୀର ପାଇଥିଲା ଶିବସେନା । ଶିବସେନା ୧୯୮୯ ଠାରୁ ୨୦୧୪ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ନିର୍ବାଚନ ଲଢ଼ିଆସୁଥିଲା ହେଲେ ୨୦୧୪ରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ମେଣ୍ଟ ଭାଙ୍ଗିଥିଲା । ନିର୍ବାଚନ ପରେ କିନ୍ତୁ ପୁଣି ଏକାଠି ସରକାର ଗଠନ କରିଥିଲେ ବିଜେପି-ଶିବସେନା । ପ୍ରଥମ ଥର ପାଇଁ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ବିଜେପି ସହ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା ଶିବସେନା । ପରେ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଏହି ମେଣ୍ଟ ବିରୋଧୀ ଆସନରେ ବସିଥିଲେ । ଶେଷରେ ୨୦୧୯ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ନିର୍ବାଚନ ଜିତିଥିଲା କିନ୍ତୁ କ୍ଷମତା ଲୋଭରେ ଉଦ୍ଧବ ମେଣ୍ଟ ଭାଙ୍ଗି ବିରୋଧୀଙ୍କ ହାତ ଧରିଥିଲେ । ଆଉ ଏବେ ସିନ୍ଦେଙ୍କ ବିଦ୍ରୋହ ପରେ ବିଜେପି ସହ ମିଶି ସରକାର ଚଳାଉଛନ୍ତି ଏକନାଥ ।