ବ୍ଲାକସ୍ୱାନରେ ମୋଟ 6 ଜଣ ସଦସ୍ୟ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୟଙ୍ଗହେଉନ, ଫାଟୋଉ, ଜୁଡୀ, ଲେଆ, ଶ୍ରୀୟା ଓ ଗାବି। ଗତ 6 ମାସ ହେଲା ଶ୍ରୀୟ ଓ ଡାଲସିନ୍ ବିଶ୍ୱସ୍ତରୀୟ ଅଡିସନରେ ଭାଗ ନେଇଥିଲେ । ନିଜ ଦକ୍ଷତା ପ୍ରଦର୍ଶନ କରୁଥିଲେ । ଶେଷରେ ବ୍ଲାକସ୍ୱାନରେ ଏମାନଙ୍କୁ ସ୍ଥାନ ମିଳିଛି । ଏନେଇ ଡିଆର ମ୍ୟୁଜିକ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶାର ରାଉରକେଲା ସହରରେ ଶ୍ରୀୟାଙ୍କ ଜନ୍ମ । ସେ ଗତ ବର୍ଷ ଡିସେମ୍ବରରେ ସିଓଲରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ । ଟ୍ରେନିଂ ପରେ ସେ ବ୍ୟାଣ୍ତ ପାଇଁ ଚୟନ ହୋଇଛନ୍ତି ।
ନଭେମ୍ବର ୨୦୨୦ରେ ବ୍ଲାକସ୍ୱାନର ଗ୍ରୁପର ସବୁଠାରୁ ପୁରୁଣା ସଦସ୍ୟ ହେମେ ବ୍ୟାଣ୍ଡକୁ ବାଏ ବାଏ କହିଥିଲେ । ତାଙ୍କ ସ୍ଥାନରେ ନୂଆ ସଦସ୍ୟଙ୍କୁ ନେବା ପାଇଁ ଡିଆର ମ୍ୟୁଜିକ୍ ଗତବର୍ଷ ମେ’ ମାସରେ ବିଶ୍ୱସ୍ତରୀୟ ଅଡିସନ୍ ଆରମ୍ଭ କରିଥିଲା । ଏହି ସମୟରେ ଶ୍ରୀୟା ଓ ୧୯ ବର୍ଷ ବୟସ୍କ ବ୍ରାଜିଲର ଡାଲସିନ ଅଡିସନ ଦେଇଥିଲେ । ୟୁଟ୍ୟୁବରେ ପାଖାପାଖି 4 ହଜାର ଆଶାୟୀ ଅଡିସନ୍ ଦେଇଥିଲେ । ଯେଉଁମାନଙ୍କ ମଧ୍ୟରୁ ଡିଆର ମ୍ୟୁଜିକ ଶ୍ରୀୟା ଓ ଡାଲକିନଙ୍କୁ ଚୂଡ଼ାନ୍ତ ତାଲିମ ପାଇଁ ଚୟନ କରିଥିଲା ।