ପରିବାର ପାଇଁ ସରକାରୀ ଚାକିରି ଛାଡିବା ପରେ ଦୌପଦୀ ଭୁବନେଶ୍ବରରୁ ଫେରନ୍ତି ଜନ୍ମମାଟି ରାଇରଙ୍ଗପୁର। ଏଇଠି ଥିବା ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାପୀଠରେ ଆରମ୍ଭ କରନ୍ତି ଶିକ୍ଷକତା ଜୀବନ। ଯେଉଁଠି ଆଜି ଖେଳିଯାଇଛି ଖୁସିର ଲହରୀ। ଆଜି ତାଙ୍କ ସଫଳତାରେ ପୁରା ବିଦ୍ୟାଳୟ ଉତ୍ସବ ମୁଖର। ସ୍କୁଲର ପୁରା ପରିବେଶ ତାଙ୍କ ସ୍ମୃତି ବଖାଣୁଛି। ଦ୍ରୌପଦୀଙ୍କ ବିଜୟ ହାସଲ ପରେ ଏହି ବିଦ୍ୟାଳୟରେ ବାଜା, ବାଣ, ଫୁଟାଇ ପରସ୍ପରକୁ ମିଠା ଖୁଆଇ ସମସ୍ତେ ଖୁସି ମନାଇଛନ୍ତି।
ଭାରତୀୟ ସଂସ୍କୃତି ଯୋଗ ଆଉ ଆଧ୍ୟାତ୍ମର ସଂସ୍କୃତି। ମଣିଷ ମନର ଏକାଗ୍ରତାକୁ ଆଧାର କରି ସେ ସଫଳତାର ପାହାଚ ଚଢୁଥିଲେ। ଆଉ ଇଏ ହେଉଛି ସେହି ସ୍ଥାନ, ଯେଉଁଠି ବସି ପ୍ରତ୍ୟେକ ଦିନ ୧ଘଣ୍ଟା କାଳ ଧ୍ୟାନ କରୁଥିଲେ ଶ୍ରୀମତି ମୁର୍ମୁ।
ଏହି ସ୍କୁଲ ଶ୍ରୀମତୀ ମୁର୍ମୁଙ୍କ, ଜୀବନର ଅନେକ ପୃଷ୍ଠାକୁ ନିଜ ସ୍ମୃତି ପୁସ୍ତିକାରେ ସାଇତି ରଖିଛି। ଦିନେ କ୍ଳାସ ସାରି କ୍ଲାସ ରୁମରୁ ଫେରିବା ସମୟରେ ତାଙ୍କ ମୁଣ୍ଡ ଉପରେ ଗୋଟେ ଝିଟିପିଟି ପଡିଯାଇଥିଲା ସେ ସମୟରେ ଜଣେ ସହକର୍ମୀ କହିଥିଲେ ଦିଦି ଆପଣ ଦିନେ ରାଜଭୋଗ କରିବେ। ଶ୍ରୀମତି ମୁର୍ମୁ ହସିଥିଲେ। କହିଥିଲେ, ଯିଏ ସରକାରୀ ଚାକିରୀ ଛାଡି ଏବେ ଶିକ୍ଷକତା କରୁଛି ସେ ପୁଣି ରାଜଭୋଗ କରିବି ।
ସେଦିନ ହସରେ ହସରେ ଉଡିଯାଇଥିବା କଥା ଆଜି ସତରେ ରୂପାନ୍ତରିତ ହୋଇଛି। ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ।
ପରିଶ୍ରମ ଆଉ ସଂଘର୍ଷର ସ୍ବାଦ ସବୁବେଳେ ମିଠି, ସବୁବେଳେ ଆନନ୍ଦଦାୟୀ। ନଚେତ୍ ଏଇ ଉପାନ୍ତ ଅଞ୍ଚଳରୁ ଯାଇଥିବା ଗୋଟିଏ ସାଧାରଣ ଆଦିବାସୀ ଘରର ମହିଳା ଆଜି ଏ ଦେଶର ମଙ୍ଗ ସମ୍ଭାଳିବାକୁ ସମର୍ଥ ହୋଇପାରି ନ ଥାନ୍ତେ।
ଭାରତ ଖବର ଆହୁରି ପଢ଼ନ୍ତୁ ।