
ନୂଆଦିଲ୍ଲୀ : କେରଳର ତିରୁଅନନ୍ତପୁରମ୍ ସ୍ଥିତ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଚାଲିଥିବା ଅନେକ ଦିନର ବିବାଦ ଉପରେ ପୂର୍ଣଛେଦ ପଡିବ। ପରିଚାଳନା କମିଟି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆର୍ଥିକ ବିବାଦ ମଧ୍ୟରେ ମନ୍ଦିରର ପରିଚାଳନା ପାଇଁ ତ୍ରାବଣକୋର ରାଜ ପରିବାରର ଅଧିକାରକୁ ସୁପ୍ରିମକୋର୍ଟ ସ୍ୱୀକୃତି ଦେଇଛନ୍ତି।
ତିରୁଅନନ୍ତପୁରମର ଜିଲ୍ଲା ଜଜଙ୍କ ନେତୃତ୍ୱରେ ଗଠିତ କମିଟି ବର୍ତ୍ତମାନ ମନ୍ଦିରର ବ୍ୟବସ୍ଥା ଉପରେ ଦୃଷ୍ଟି ଦେବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଆର୍ଥିକ ବିଶୃଙ୍ଖଳାକୁ ନେଇ ପରିଚାଳନା କମିଟି ଓ ପ୍ରଶାସନ ମଧ୍ୟରେ ବିବାଦ ନଅ ବର୍ଷ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲା। କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟର ତ୍ରାବଣକୋର ରାଜପରିବାର ଚ୍ୟାଲେଞ୍ଜ କରିଥିଲେ। ଏହି ମନ୍ଦିରରେ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ରହିଛି।
ଭଗବାନ ପଦ୍ମନାଭ (ବିଷ୍ଣୁ)ଙ୍କର ଏହି ଚମତ୍କାର ମନ୍ଦିରକୁ ଅଷ୍ଟାଦଶ ଶତାବ୍ଦୀରେ ଟ୍ରାଭାନକୋର ରାଜକୁଳ ଦ୍ୱାରା ନବୀକରଣ କରାଯାଇଥିଲା। ଏହି ରାଜ ପରିବାର ଦକ୍ଷିଣ କେରଳ ଏବଂ ତାମିଲନାଡୁର କିଛି ଅଂଶରେ ଭାରତୀୟ ୟୁନିଅନରେ ମିଶ୍ରଣ ହେବା ପୂର୍ବରୁ 1947 ପର୍ଯ୍ୟନ୍ତ ଏହାର ଶାସନ କରିଥିଲେ। ସ୍ୱାଧୀନତା ପରେ ମଧ୍ୟ ଏହି ମନ୍ଦିର ରାଜ ପରିବାର ଦ୍ୱାରା ନିୟନ୍ତ୍ରିତ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା।
ରାଜକୁଳର ଦେବତା ହେଉଛନ୍ତି ଭଗବାନ ପଦ୍ମନାଭ ସ୍ୱାମୀ। ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଇନ୍ଦୁ ମଲହୋତ୍ରାଙ୍କ ଦ୍ଵାରା ଗଠିତ ବେଞ୍ଚ ମାମଲାର ଶୁଣାଣି କରି ଗତ ବର୍ଷ ଏପ୍ରିଲ 10 ରେ ରାୟ ସଂରକ୍ଷିତ ରଖିଥିଲେ। କେରଳ ହାଇକୋର୍ଟଙ୍କ ଜାନୁଆରୀ 31, 2011ର ରାୟକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଦେଶର ସବୁଠାରୁ ଧନୀ ମନ୍ଦିରର ପରିଚାଳନା ଦାଇତ୍ୱ କାହା ହାତରେ ରହିବ ଏହା ଉପରେ ସମସ୍ତଙ୍କର ନଜର ରହିଥିଲା।
ସୁପ୍ରିମକୋର୍ଟ ମେ 2011ରେ ମନ୍ଦିରର ପରିଚାଳନା ଏବଂ ସମ୍ପତ୍ତି ନିୟନ୍ତ୍ରଣ ସମ୍ବନ୍ଧରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ମୂଲ୍ୟବାନ ଜିନିଷ ଏବଂ ଅଳଙ୍କାରର ବିସ୍ତୃତ ବିବରଣୀ ମଧ୍ୟ ମନ୍ଦିରର ଭଣ୍ଡାରରେ ପ୍ରସ୍ତୁତ ହେବ। ତେବେ ଆଜିର କୋର୍ଟଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି।

