ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତିର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଯାହାର ରାୟ ଆଜି ପ୍ରକାଶ ପାଇଛି । ୧୦୩ ସଂଶୋଧନ ଅଧିନିୟମ, ୨୦୧୯ ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାୟର ହୋଇଥିଲା । ମୁଖ୍ୟ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ବରୀ, ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । 2019 ରେ ଆରମ୍ଭ ହୋଇଥିବା EWS ସଂରକ୍ଷଣ ନୀତିର ବିଭିନ୍ନ ଦିଗ ସହ ଜଡିତ 40ଟି ଆବେଦନ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
EWS ସଂରକ୍ଷଣର ବିରୋଧୀମାନେ କହିଛନ୍ତି ଯେ ଏସଟି, ଏସସି ଏବଂ ଓବିସିରେ ମଧ୍ୟ ଗରିବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି ?ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଥିବା ଦାବି ହୋଇଛି । ସେପଟେ EWS କୋଟାକୁ ସମର୍ଥନ କରିବା ସହ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ, ଏହି କୋଟା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଅଧିକାରକୁ ଉଲ୍ଲଂଘନ କରିବ ନାହିଁ । ସେ କହିଛନ୍ତି ଯେ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ପାଇଁ 50 ପ୍ରତିଶତ କୋଟାକୁ ବ୍ୟାଘାତ ନକରି ଏହା ଦିଆଯାଇଛି ।