
ଉତ୍ତରପ୍ରଦେଶ ଆତଙ୍କବାଦୀଙ୍କ ଗଡ଼ ଭଳି ମୁଣ୍ଡ ଟେକୁଛି । ରାଜ୍ୟର ପଶ୍ଚିମାଂଚଳରେ ଆତଙ୍କବାଦୀ ଗତିବିଧି ଥିବା ପରିଲକ୍ଷିତ ହୋଇଛି । ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ଏବେ ପ୍ରାୟ ୧୦ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ସାହାରାନପୁର, ସାମଲି, ଅମହୋରା, ଆଗ୍ରା, ମେରଠ, ମଥୁରା, ମୁଜାଫରପୁର, ମୁରାଦାବାଦ ଓ ହାପୁଡ ଜିଲ୍ଲାରେ ଆତଙ୍କବାଦୀ ରହିଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ଅନୁମାନ କରୁଛି ।
କୁହାଯାଉଛି ଯେ, ଆତଙ୍କବାଦୀଙ୍କ ବିରୋଧରେ ଗୁଇନ୍ଦା ସଂସ୍ଥା ଯାଞ୍ଚ କରୁଛି । ଗୁଇନ୍ଦା ସଂସ୍ଥା ବିଗତ ୧୦ ବର୍ଷର ରେକର୍ଡକୁ ତଦାରଖ କରୁଛି । ଗତ ବର୍ଷ ଆମେରିକାରେ ଧରାପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ଡାଭିଡ ହେଡଲି, ତସବୁର ରାଣା ଏବଂ ଅଲକାଏଦା ଆତଙ୍କବାଦୀ ଇଲିୟାସ କଶ୍ମୀରୀ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ମେରଠ ସହିତ ଲିଙ୍କ ଥିବା ଜଣାପଡ଼ିଥିଲା ।
ଗୁଇନ୍ଦା ସଂସ୍ଥା ପୁରୁଣା ରେକର୍ଡ ନେଇ ତଦନ୍ତ କରୁଛି । ମେରଠରେ ସଲମାନ, ମୁଜାଫର ନଗରରେ ହାଫିଜ୍, ସହଜାଦ ଏବଂ ଇକ୍ବାଲ, ଆଗ୍ରାରେ ସାଲାର, ମୁରାଦାବାଦରେ ମହମ୍ମଦ ହନୀଫ ଆଦି ଆତଙ୍କବାଦୀ ସଂଗଠନରେ ସାମିଲ ଥିବା ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ପଶ୍ଚିମ ଉତ୍ତର ପ୍ରଦେଶରେ ଅଲକାଏଦା, ଲସ୍କର-ଏ-ତୋଇବା, ହୁଜି, ଇସଲାମିକ୍ ଷ୍ଟେଟ, ଆଇଏସ୍ଆଇଏସ୍, ସିମି ଆଦି ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି ।
