ଏହି କ୍ରମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ସହଯୋଗୀ ସଂଗଠନ ଦି ରେସିଡେଣ୍ଟ ଫ୍ରଣ୍ଟ ଏବେ ଗୁଲାମ ନବୀ ଆଜାଦଙ୍କୁ ଧମକ ଦେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହି ଆତଙ୍କବାଦୀ ସଂଗଠନ ତାଙ୍କୁ ଧମକ ଦେଇଛି । ଧମକ ଦେଇଥିବା ଏକ ପୋଷ୍ଟର ସୋସିଆଲ ମିଡିଆରେ ଜାରୀ କରିଛି ।
ଏହି ଆତଙ୍କବାଦୀ ସଂଗଠନ ପୋଷ୍ଟରରେ କହିଛି ଯେ ଗୁଲାମ ନବୀ ଆଜାଦଙ୍କ ଜାମ୍ମୁ କାଶ୍ମୀର ରାଜନୀତିରେ ପ୍ରବେଶ ଏପରି ସାଧାରଣ ଭାବେ ହୋଇ ନାହିଁ । ଏହା ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ ।
ଏହି ପୋଷ୍ଟରରେ କୁହାଯାଇଛି ଯେ ଦିଲ୍ଲୀରେ କିଛି ବିଦେଶୀ ସଂସ୍ଥା ଜାମ୍ମୁ କାଶ୍ମୀରରେ ସ୍ଥିତି ସାମାନ୍ୟ ବୋଲି ଦର୍ଶାଇବାକୁ ଚାପ ପ୍ରୟୋଗ କରୁଛନ୍ତି । ତେଣୁ ଏଠାରେ ବିଧାନସଭା କରାଇ ସବୁ କିଛି ଠିକ ଅଛି ବୋଲି ଦର୍ଶାଇବା ପାଇଁ ଚେଷ୍ଟା କରାଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗୁଲାମ ନବୀ ଆଜାଦଙ୍କୁ ପ୍ଲାନ ବି ଭାବେ ଜାମ୍ମୁ କାଶ୍ମୀର ରାଜନୀତିରେ ପୁଣି ଥରେ ସକ୍ରିୟ କରାଯାଇଛି ।
ସଂଗଠନ ପକ୍ଷରୁ ହିନ୍ଦୁ ମାନଙ୍କୁ କରାଯାଉଥିବା ଟାର୍ଗେଟ କିଲିଂକୁ ସଠିକ ବୋଲି କୁହା ଯାଇଛି । ରାହୁଲ ଭଟ୍ଟ ନାମକ ଜଣେ ନୀରିହ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ଉଚିତ ବୋଲି ଦର୍ଶାଇ ଆତଙ୍କବାଦୀ ସଂଗଠନ କହିଛି ଯେ ସେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଯୋଗାଯୋଗରେ ଥିଲା । ଏହି କାରଣରୁ ଆମେ ତାକୁ ହତ୍ୟା କରିଛୁ ବୋଲି ଏହି ସଂଗଠନ କହିଛି । ଆଗାମୀ ଦିନରେ ମଧ୍ୟ ହିନ୍ଦୁ ମାନଙ୍କୁ ଏପରି ଟାର୍ଗେଟେ଼ଡ କିଲିଂ ଜାରୀ ରହିବ ବୋଲି କୁହାଯାଇଛି ।
ଆତଙ୍କବାଦୀ ସଂଗଠନର ଧମକ ପରେ ଗୁଲାମ ନବୀ ଆଜାଦଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି ।
କଂଗ୍ରେସ ଦଳ ଛା଼ଡିବା ପରେ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ପ୍ରତିନିଧି ଦଳ ସହ ଭେଟିବା ସହ ଜନ ସଭା ଗୁଡିକୁ ସମ୍ବୋଧିତ କରୁଛନ୍ତି । ସ୍ଛାନୀୟ ଲୋକଙ୍କୁ ଭେଟି ସେ ତୃଣମୂଳ ସ୍ତରର ସ୍ଥିତିକୁ ଜାଣିବାକୁ ଚେଷ୍ଟା କରୁଛନ୍ତି । ଲୋକ ମାନଙ୍କର ସମସ୍ୟାକୁ ଜାଣିବା ପରେ ଆଗାମୀ ଦିନରେ ସେ ତାଙ୍କର ନୂଆ ଦଳ ଗଠନ କରିବା ପରେ ସେ ଏହି ପ୍ରସଙ୍ଗକୁ ନେଇ କାମ କରିବେ ବୋଲି କହିଛନ୍ତି ।
ଗତ କିଛି ଦିନ ତଳେ ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ପୁଣି ଥରେ ଲଗାଇବା ଆଉ ସମ୍ଭବ ନୁହେଁ । ଏବେ କୌଣସି ଦଳ ଏହି ଅନୁଚ୍ଛଦକୁ ଲଗାଇବା ସ୍ଥିତିରେ ନାହାନ୍ତି ବୋଲି ସେ କହିଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।