
ନୂଆଦିଲ୍ଲୀ : ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ବି ଜାରି ରହିଛି । ମେଜର ସ୍ତରୀୟ ଆଲୋଚନାରେ ଚୀନ୍ ଗଲୱାନ ଘାଟିରୁ ପଛକୁ ଫେରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଗତକାଲିର ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ ଗଲୱାନ୍ ନଦୀ କୂଳରେ ଚାଇନା ନିଜର କ୍ୟାମ୍ପ, ଜେସିବି ମେସିନ୍ ଏବଂ ଚୀନ୍ ସେନାର ଯାନ ଗୁଡିକ ଏବେ ବି ରହିଛି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଚୀନ୍ ସେନା ଗାଡି ଏବଂ ଜେସିବି ମେସିନ୍ କାହିଁକି ରହିଛି। ଚୀନ ବାରମ୍ବାର ନିଜର ପ୍ରତିଶୃତି ମୁତାବକ କାର୍ଯ୍ୟ କରୁନାହିଁ।
ଜୁନ୍ 28ର ସାଟେଲାଇଟ୍ ଫଟୋରେ ଚୀନ୍ ସେନା କାର୍ଯ୍ୟ ସ୍ପଷ୍ଟ ହୋଇଛି। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଚୀନ୍ ସହଜରେ ପଛକୁ ଯିବାକୁ ପ୍ରସ୍ତୁତ ନୁହେଁ। ପିପୁଲ୍ସ ଲିବରେସନ୍ ଆର୍ମି (PLA) ଦ୍ୱାରା ଏହା ଏକ ନୂଆ ପଦକ୍ଷେପ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଭାରତ ମଧ୍ୟ ଚୀନର ସବୁ ଚାଲ ଉପରେ ନଜର ରଖିଛି। ସୀମାରେ ସେନା ମଧ୍ୟ ମଜଭୁତ କରିଛି ଭାରତ। 15 ଜୁନ୍ ରାତିରେ ଗାଲୱାନ୍ ଉପତ୍ୟକାରେ ଚୀନର ବିଶ୍ୱାସଘାତକ ନୀତିକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଇଥିଲେ। ବର୍ତ୍ତମାନ ଏହାର ଉତ୍ତର ଅନ୍ୟ ଉପାୟରେ ଦିଆଯିବ ତାହା ହେଉଛି ଲଦାଖରେ ଚୀନ୍ ସହିତ ଲାଗିଥିବା ଅଞ୍ଚଳର ବିକାଶ। ସେଠାରେ ଭିତ୍ତିଭୂମି ମଜବୁତ କରିବା। ରାସ୍ତା ଏବଂ ସୁବିଧା ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ ଜୋରଦାର ହୋଇଛି।
ସେନା ପକ୍ଷରୁ ହିଂସାତ୍ମକ ସଂଘର୍ଷ ପରେ ନଦୀ ଉପରେ ଏକ ବ୍ରିଜ୍ ସମେତ କଲଭର୍ଟ ରେକର୍ଡ ସମୟ ମଧ୍ୟରେ ନିର୍ମାଣ କରାଯାଇଛି। ଉତ୍ତର ଲଦାଖରେ ରାଜପଥ ନିର୍ମାଣ ସମେତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିବ ବୋଲି ଭାରତ ସ୍ପଷ୍ଟ କରିଛି। ଏହାକୁ ଧ୍ୟାନରେ ରଖି ଗତ କିଛି ଦିନ ମଧ୍ୟରେ ଚାରୋଟି ବୋର୍ଡର ସଡକ ପ୍ରକଳ୍ପ ଆରମ୍ଭ ହୋଇଛି। ସ୍ଥିତିରେ ସୁଧାର ପାଇଁ ଆଲୋଚନା ଜାରି ରହିବ, କିନ୍ତୁ ଭାରତ ଏହାର ସୀମାରେ ରାସ୍ତା ଭଳି ଭିତ୍ତିଭୂମି ନିର୍ମାଣରେ ଆପୋସ ବୁଝାମଣା କରିବ ନାହିଁ।
ଭାରତର ଏହି ସଂକଳ୍ପ ଚୀନ୍କୁ ଭୟଭୀତ କରୁଛି। ପଛକୁ ଫେରିବା ପାଇଁ ରାଜି ହେବା ପରେ ଚୀନ୍ ସୈନିକମାନେ ଗାଲୱାନ୍ ନଦୀରୁ ଓହରି ଯାଇଛନ୍ତି, କିନ୍ତୁ ସେମାନଙ୍କର ତମ୍ବୁ ଏବଂ ଯନ୍ତ୍ରପାତି ସେଠାରେ ରହିଛି। ଗତକାଲିର ସାଟେଲଇଟ୍ ଚିତ୍ର ଦ୍ୱାରା ଏହା ନିଶ୍ଚିତ ହୋଇଛି। ସେଠାରେ ଚିନି ଶିବିର, ଭାରୀ ଯାନ ଏବଂ ଜେସିବି ମେସିନ୍ ସ୍ଥିର ସ୍ଥିତିରେ ରହିଛି।
