ଏହି ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ଫସଲ ବୀମାରାଶି ପାଇନଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ଗତ 15 ନଭେମ୍ବରରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଇନପୁଟ୍ ସହାୟତା ଘୋଷଣା କରାଯିବା ଉପରେ କୃଷି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଦୃଷ୍ଟି ଆକର୍ଷଣ କରିଛନ୍ତି ।କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଦେଇଛି । ଚିଠିରୁ ଜଣାପଡୁଛି ଚାଷୀ ମାନଙ୍କୁ ବୀମାରାଶି ଦେବାରେ ଓଡ଼ିଶା ସରକାର ତତ୍ପରତା ଦେଖାଇ ନାହାନ୍ତି ।
ସଠିକ୍ ନିୟମ ଓ ପ୍ରକ୍ରିୟାକୁ ଅନୁସରଣ କରିନାହାନ୍ତି । ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ।ଶ୍ରୀ ତୋମର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ସୁରକ୍ଷା ଦେଇ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଯୋଗ୍ୟ ଚାଷୀ ବୀମାରାଶି ପାଇପାରିବେ, ସେଥିପାଇଁ ସମସ୍ତ ଷ୍ଟେକହୋଲ୍ଡରଙ୍କ ସହିତ ଆଲୋଚନା କରି 2020 ଖରିଫ ଋତୁରୁ ସଂଶୋଧିତ ପରିଚାଳନା ନିର୍ଦ୍ଦେଶାବଳୀ ପ୍ରଚଳନ କରିଥିଲେ । ଯେଉଁଥିରେ ପ୍ରତ୍ୟେକ ଷ୍ଟେକ୍ ହୋଲଡରଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରୀ କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଛି । ଏହାବ୍ୟତିତ ସ୍ୱଚ୍ଛତାର ସହ ଶସ୍ୟକାଟ ଆକଳନ(ସିସିଇ)କୁ ଆପ୍ ମାଧ୍ୟମରେ ପରିଚାଳନା କରିବା ରାଜ୍ୟ ସରକାରଙ୍କ ମଧ୍ୟ ଦାୟିତ୍ୱ ରହିଛି । ବିବାଦର ତ୍ୱରିତ ସମାଧାନ କରିବା ପାଇଁ ମଧ୍ୟ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି । ଏହି ଆଧାରରେ ରାଜ୍ୟ ସ୍ତରରେ ବିବାଦ ଗୁଡ଼ିକର ସମାଧାନ ପାଇଁ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟିର ବ୍ୟବସ୍ଥା କରାଯାଇଛି ।
ସମସ୍ୟାର ସମାଧାନ ହୋଇନପାରିଲେ ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନା କରାଯିବାର ନିୟମ ରହିଛି । ରାଜ୍ୟରେ 2021 ଖରିଫ ଋତୁରେ ଫସଲ ଅମଳକୁ ନେଇ କିଛି ବୀମା ୟୁନିଟର ବିବାଦ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ପତ୍ର ମାଧ୍ୟମରେ ଜୁଲାଇ 04, 2022ରେ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଭାରତ ସରକାରଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଅନୁରୋଧକୁ ସଂଶୋଧିତ ପରିଚାଳନା ନିର୍ଦ୍ଦେଶାବଳୀ ଆଧାରରେ ପରୀକ୍ଷାନୀରିକ୍ଷା କରାଯାଇଥିଲା । ଭାରତ ସରକାର ଜୁଲାଇ 21, 2022ରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ସଂଶୋଧିତ ପରିଚାଳନା ନିର୍ଦ୍ଦେଶାବଳୀ ଧାରା -19ରେ ବୀମା କମ୍ପାନୀ ଦ୍ୱାରା ସୃଷ୍ଟି ହୋଇଥିବା ବିବାଦକୁ କିପରି ସମାଧାନ କରାଯିବ, ସେ ନେଇ ପରାମର୍ଶ ଦେଇଥିଲେ ।
ଯଦି ବୀମା କମ୍ପାନୀ ଦ୍ୱାରା ସୃଷ୍ଟି ହୋଇଥିବା ବିବାଦର ସମାଧାନ ନହୁଏ ତାହା ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି ନିକଟକୁ ସମାଧାନ ପାଇଁ ହସ୍ତାନ୍ତର କରାଯିବ ।ଯାହାର ପ୍ରତ୍ୟୁତ୍ତରରେ ଓଡ଼ିଶା ସରକାର ସେପ୍ଟେମ୍ବର 16, 2022ରେ ଏହି ଉପଯୁକ୍ତ ବିଷୟଟି ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟିରେ ଉପସ୍ଥାପନ କରିଥିବା ଏବଂ ନିର୍ଦ୍ଦେଶ ଜାରୀ କରାଯାଇଥିବା ଭାରତ ସରକାରଙ୍କୁ ଜଣାଇଥିଲେ । କିନ୍ତୁ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି କିଛି ବୀମା ୟୁନିଟର ବିବାଦକୁ ସମାଧାନ କରିଥିବା ବେଳେ 189ଟି ବିବାଦ ସମାଧାନ ହୋଇପାରିନଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ କମ୍ପାନୀ ମାନଙ୍କ ଦ୍ୱାରା ଭାରତ ସରକାରଙ୍କ ବୈଷୟିକ ପରାମର୍ଶ କମିଟି ନିକଟରେ ବିଷୟଟି ଉପସ୍ଥାପନ କରାଯାଇଥିଲା । ସେପ୍ଟେମ୍ବର 30, 2022ରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଟେକ୍ନିକାଲ ଆନାଲିସିସ୍ କରାଯାଇନଥିବା ବୈଷୟିକ ପରାମର୍ଶ କମିଟି ବୈଠକରେ ଜଣାପଡ଼ିଥିଲା । ଭାରତ ସରକାରଙ୍କ ବୈଷୟିକ ପରାମର୍ଶ କମିଟି ବୀମା କମ୍ପାନୀଙ୍କ ବିବାଦକୁ ଏମଏନସିଏଫସି(Mahalanobis National Crop Forecast Centre) ନିକଟକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା ।
ନଭେମ୍ବର 03, 2022ରେ ବୈଷୟିକ ପରାମର୍ଶ କମିଟିର ଦ୍ୱିତୀୟ ବୈଠକରେ ଏମଏନସିଏଫସି ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା ଏବଂ ନଭେମ୍ବର 07, 2022ରେ ଟିଏସିର ନିର୍ଦ୍ଦେଶକୁ ଅନୁମୋଦନ କରାଯାଇଥିଲା । ଏହି କ୍ରମରେ ବୀମା କମ୍ପାନୀ ଗୁଡ଼ିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ । ବିବାଦୀୟ ଜିଲ୍ଲା ଗୁଡିକର ଅଧିକାଂଶ ବୀମା ଦାବି ସମାଧାନ ହୋଇସାରିଥିବା ବେଳେ ବିବାଦ ଥିବା 9ଟି ଜିଲ୍ଲା ମଧ୍ୟରୁ ଦାବୀ କରାଯାଇଥିବା 723 କୋଟି ଟଙ୍କା ମଧ୍ୟରୁ 622 କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ।
ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭାରତ ସରକାର ତ୍ୱରିତ ପଦକ୍ଷେପ ନେଇ ବିଷୟକୁ ଚୂଡାନ୍ତ ନିଷ୍କର୍ସ ପର୍ଯ୍ୟନ୍ତ ନେଇଛନ୍ତି ।