ଅର୍ଗସ ବ୍ୟୁରୋ: ଫେବୃୟାରୀ ୧୦ ତାରିଖରେ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଗସ୍ତ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବୁଧବାର କଟକ-ଭୁବନେଶ୍ବର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରିଥିଲେ। ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ଫେରିଯାଇଥିଲେ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରମାଦେବୀ ମହିଳା ୟୁନିଭସିଟିର ସିଣ୍ଡିକେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କିଭଳି ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୨୦୨୨ ଶିକ୍ଷା ବର୍ଷର ପାଖାପାଖି ୨୮ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଦିଆଯିବ।
କୋଭିଡ ପାଇଁ ପୂର୍ବରୁ ୨ବର୍ଷ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇପାରି ନ ଥିବାରୁ ମୋଟ ୮୦ରୁ ଅଧିକ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ମିଳିବ। ତେବେ ସମ୍ମାନସୂଚକ ଡକ୍ଟରେଟ କାହାକୁ ଦିଆଯିବ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନ ଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ସମୟରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଟକସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହେବାରୁ ଦ୍ବିତୀୟ ସର୍ବଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ମାତ୍ର କାର୍ଯ୍ୟକ୍ରମ ରହିଥିବା ସ୍ଥାନର ଅଧିକାରୀମାନେ ଏନେଇ ସୂଚନା ଦେଇଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।