ସମ୍ବଲପୁର ବିଶ୍ବବିଦ୍ୟାଳୟର ଜାତୀୟ ଶିକ୍ଷାନୀତିକୁ ନେଇ ଆୟୋଜିତ କର୍ମଶାଳାରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏହି ଅବସରରେ ସେ କହିଛନ୍ତି, ରଙ୍ଗବତୀର ଗୋଟିଏ ଦାର୍ଶନିକ ଆବେଦନ ରହିଛି । ଏହା ଏକ ସଂସ୍କୃତି, ଏକ ଅଭିବ୍ୟକ୍ତି । ରଙ୍ଗବତୀକୁ ନେଇ ବିଶେଷ ଗବେଷଣା କରାଯିବ।
୪୦ ବର୍ଷ ହେଲାଣୀ ଏ ଗୀତକୁ। କେତେ ପୀଢି ଗଲେଣି, କିନ୍ତୁ ଏ ଗୀତ ପ୍ରତି ଭଲପାଇବା କାହାର ବି କମିନି। ବାପା ପରେ ପୁଅ ଏ ଗୀତରେ ନାଚୁଛି, ହସୁଛି। କିନ୍ତୁ ଏହା ପ୍ରଚ୍ଛଦପଟ୍ଟରେ ଥିବା ମଣିଷମାନଙ୍କ ସ୍ଥିତି ପୂର୍ବବତ୍ ରହିଛି। ଏଇଠି ଗୋଟିଏ କଥା ମନକୁ ଆସେ, ଏ ଗୀତରେ ଏମିତି କ'ଣ ଅଛି ? ଯାହା ପିଢି ପରେ ପିଢି ସବୁ ଲୋକଙ୍କୁ ଆକର୍ଷିତ କରୁଛି ?
ଏହି ଲୋକପ୍ରିୟ ଗୀତଟିକୁ ରଚନା କରିଥିଲେ ମିତ୍ରଭାନୁ ଗୌନ୍ତିଆ। ଏବଂ ଯାହାଙ୍କ କଣ୍ଠସ୍ବରରେ ଏ ଗୀତ ପରିଚୟ ପାଇଥିଲା ସେ ହେଲେ ଜୀତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ। ଗୀତ ପ୍ରସ୍ତୁତ କରିଥିବା ପ୍ରଚ୍ଛଦପଟ୍ଟର ମଣିଷମାନେ ଏବେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସମୟ ବଦଳିଛି। କିନ୍ତୁ ସେମାନଙ୍କ ସ୍ଥିତି ଆଜି ବି ପୂର୍ବବତ୍ ରହିଛି। ବଦଳି ନାହିଁ ତ କେବଳ, ରଙ୍ଗବତୀ ଗୀତ। ଯାହା ଓଡିଶା ଡେଇଁ ଆତି ସାତ ଦରିଆ ସେ ପାରିରେ ପହଞ୍ଚିଲାଣି।
ଶିକ୍ଷାମନ୍ତ୍ରୀ ଯାହା କହିଛନ୍ତି ତାହା ମଧ୍ୟ ପ୍ରାସଙ୍ଗିକ। ଏ ଗୀତର ମାଦକତାକୁ ନେଇ ଗବେଷଣା ହେବ। ଅପେକ୍ଷା ସେଇ ସମୟକୁ ଯେତେବେଳେ ଏହି ମାଟିର ଗୀତ ସହ ଆମ ସମ୍ପର୍କର ବୈଜ୍ଞାନିକ କାରଣ ସାମ୍ନାକୁ ଆସିବ। ଓଡ଼ିଆ ଲୋକଙ୍କ ରଙ୍ଗବତୀ ସହ ଭାବ ଆଉ ଆବେଗର ସମ୍ପର୍କକୁ ମନସ୍ତତ୍ବର ଛାତ୍ର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିଦ୍ୟାର୍ଥୀ ଏକାଠି ମିଶି ସମାଧାନ କରିବେ। ଏହା ହିଁ ଆମର ଜାତୀୟ ଶିକ୍ଷାନୀତି ବା NEPର ପ୍ରୟୋଗାତ୍ମକ ଦିଗ।
ଅଧିକ ପଢ଼ନ୍ତୁ ରାଜନୀତି ଖବର