ଆମ କଥା ଶୁଣି ଆପଣଙ୍କର ବି ଅକଲ ଗୁଡୁମ ହେବଣି। ଭାବୁଥିବେ ଏ କି ଅଭିଲା ଭଲା କଥା । ମଣିଷଙ୍କର କ’ଣ ସତରେ ୩୨ ଦାନ୍ତ ଉଠୁନି। ଆଜ୍ଞା ହିଁ । ଏବେ ଆଉ ସବୁ ମଣିଷଙ୍କର ପାଟିରେ ୩୨ ଦାନ୍ତ ଉଠୁନି। ଏମିତିକି ଆପଣଙ୍କ ଦନ୍ତପନ୍ତିରେ ଜ୍ଞାନ ଦାନ୍ତ ବି ନାହିଁ।
ଛୋଟ ବେଳୁ ଶୁଣିଥିବା କଥାରେ ଏବେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବାରଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ଡେଣ୍ଟାଲ୍ ସାଇନ୍ସ ବିଭାଗୀୟ ଗବେଷଣାର ଏହା ନିର୍ଯାସ। ବରିଷ୍ଠ ଦନ୍ତ ବିଶେଷଜ୍ଞ ପ୍ରଫେସର ଟିପି ଚତୁର୍ବେଦୀ ଏନେଇ ଏକ ଅଧ୍ୟୟନ କରିବା ପରେ ତଥ୍ୟକୁ ସାର୍ବଜନୀନ କରିଛନ୍ତି।
ଅଧ୍ୟୟନ ଅନୁସାରେ ଗତ 20 ବର୍ଷରୁ ତାଙ୍କ ପାଖକୁ ଆସୁଥିବା 25 ପ୍ରତିଶତ ଯୁବବର୍ଗଙ୍କର କେବଳ 28ଟି ଦାନ୍ତ ଉଠୁଛି । ବହୁତ କଷ୍ଟରେ 35 ପ୍ରତିଶତ ଯୁବବର୍ଗଙ୍କର 32 ଦାନ୍ତ ଉଠିପାରୁଛି । ତାହା ବି ଠିକ୍ ଢଙ୍ଗରେ ନୁହେଁ । ବଙ୍କା-ତେଢା ହୋଇ ଉଠୁଛି । ଯାହାକୁ ଠିକ୍ କରିବାକୁ ଚିକିତ୍ସା କରିବାକୁ ପଡୁଛି ।
ସାଧାରଣତଃ 18-25 ବର୍ଷ ବୟସ ମଧ୍ୟରେ ଲୋକଙ୍କର 29 ରୁ 32 ଦାନ୍ତ ଉଠିଥାଏ । ସାଧାରଣ ଭାଷାରେ ଏହାକୁ ବୁଦ୍ଧି ଦାନ୍ତ କୁହାଯାଏ । ଏହା ମାଢିର ସବୁଠୁ ପଛରେ ଉଠିଥାଏ । ଡାକ୍ତରଙ୍କ କହିବା କଥା ଗତ 20 ବର୍ଷରୁ 25 ପ୍ରତିଶତ ରୋଗୀଙ୍କ ଜ୍ଞାନ ଦାନ୍ତ ଆଉ ଉଠୁନାହିଁ।
ଆଉ ଏକ ଆଶ୍ଚର୍ଯ୍ୟକର ତଥ୍ୟ ମଧ୍ୟ ମିଳିଛି । ଖାଦ୍ୟ ଚୋବାଇବା ପାଇଁ ଆମ ପାଟିରେ 12 ଦାନ୍ତ ଥାଏ । ଯେଉଁ ସଂଖ୍ୟା ଏବେ ହ୍ରାସ ପାଇ 8 ହୋଇଛି । ଫଳରେ ଲୋକଙ୍କୁ ଖାଦ୍ୟ ଚୋବାଇବାରେ ମଧ୍ୟ ସମସ୍ୟା ହେଉଛି । ଖାଦ୍ୟ କାମୁଡିବା ପାଇଁ ସାମ୍ନା ଭାଗରେ 20 ଦାନ୍ତ ଥାଏ । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
କମ୍ ଦାନ୍ତ ଉଠିବାର ସମସ୍ୟା ସହରୀ ପିଲାଙ୍କ ମଧ୍ୟରେ ବେଶି ଦେଖିବାକୁ ମିଳୁଛି । ଏହା ପଛର କାରଣ ହେଉଛି ଆଜିକାଲିର ପିଲା ଦାନ୍ତରେ କଠିନ ଖାଦ୍ୟ ଖାଇବା କମ୍ ବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । କମ୍ ଚୋବାଇବା ଯୋଗୁଁ ମାଢିର ଆକାର ମଧ୍ୟ ଛୋଟ ହୋଇଯାଉଛି । ଫଳରେ ଜ୍ଞାନ ଦାନ୍ତ ଉଠିବାକୁ ସ୍ଥାନ ରହୁନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଏବେ ଏହି ଅଭାବ ବହୁତ ଦେଖିବାକୁ ମିଳୁଛି।
ଆଗକୁ ମଧ୍ୟ ଏହା ମନୁଷ୍ୟର ଅବଶେଷୀ ଅଙ୍ଗ ହୋଇଯିବ । ଯାହାର କୌଣସି ଆବଶ୍ୟକତା ରହିବ ନାହିଁ ।